ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍ଙ୍କୁ ଗୋଆ ରିସର୍ଟରେ ହତ୍ୟା କରାଯିବାର ପ୍ରାୟ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ତାଙ୍କର ପରିବାରବର୍ଗ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋନାଲିଙ୍କ ପରିବାର ଇତିମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ ।
ଖଟ୍ଟର ମଧ୍ୟ ଏହି ପ୍ରସଙ୍ଗରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ଅଗ୍ରଗତି ଘଟୁନଥିବାରୁ ପରିବାରବର୍ଗ ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି । ସୋନାଲିଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ନିକଟକୁ ଏକ ପତ୍ର ମଧ୍ୟ ପଠାଯାଇଛି । ଗୋଆ ପୁଲିସ ଇତିମଧ୍ୟରେ ସୋନାଲିଙ୍କୁ ଦୁଇ ସହଯୋଗୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିସାରିଛି ।