Odia News Portal

ନୌସେନାରେ ସାମିଲ ହେଲା ପଞ୍ଚମ ଷ୍ଟିଲଦ ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ

ଶତ୍ରୁପକ୍ଷକୁ ମୁହଁତୋଡ଼ ଜବାବ ଦେବା ପାଇଁ ଭାରତୀୟ ନୌସେନାରେ ସାମିଲ ହୋଇଛି ପଞ୍ଚମ ଷ୍ଟିଲ୍ଦ ଗାଇଡେଡ୍ କ୍ଷେପଣାସ୍ତ୍ର ଯୁଦ୍ଧ ପୋତ ‘ତାରାଗିରି’ । ଏହାକୁ ନୌସେନାର ପ୍ରକଳ୍ପ ୧୭ଏ ଅଧୀନରେ ନିର୍ମାଣ କରାଯାଇଛି। ରବିବାର ମୁମ୍ବାଇର ମଝଗାଓଁ ଡକରେ ଏହାକୁ ଶୁଭାରମ୍ଭ କରାଯାଇଛି । ଏଥିପାଇଁ କୌଣସି ସମାରୋହ ଅନୁଷ୍ଠିତ ହୋଇ ନ ଥିଲା । କେବଳ ବୈଷୟିକ ଔପଚାରିକତା ମାଧ୍ୟମରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଦିବଂଗତ ବ୍ରିଟେନ୍ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ ଭାରତ ରବିବାର ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାରୁ କୌଣସି ଉତ୍ସବ ପାଳନ କରାଯାଇ ନ ଥିଲା । ନୌସେନା ପାଇଁ ଏହା ଅତ୍ୟନ୍ତ ଜରୁରି ଥିବାରୁ ଆଉ କାଳବିଳମ୍ବ ନ କରି ଯୁଦ୍ଧପୋତକୁ ସମୁଦ୍ର ଜଳରାଶିରେ ଛଡ଼ାଯାଇଥିଲା । ଉଲ୍ଲେଖଯୋଗ୍ୟ, ୫୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ୧୭ଏ ଅଧୀନରେ ମୋଟ ୭ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯିବ । ଏଥିମଧ୍ୟରୁ ୪ଟି ମଝଗାଓଁ ଡକ୍ ସିପବିଲଡର୍ସ ଲିମିଟେଡ୍ (ଏମଡିଏଲ୍)ରେ ନିର୍ମାଣ ହେଉଥିବା ବେଳେ ୩ଟି ଗାର୍ଡେନ୍ ରିଚ୍ ସିପବିଲଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ (ଜିଆରଏସଇ)ରେ ତିଆରି କରାଯାଉଛି । ଏହିସବୁ ଜାହାଜରେ ବିକଶିତ ଘରୋଇ ଘାତକ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଉପକରଣ ଖଞ୍ଜାଯାଉଛି । ଆଉ କେତେକ ନୂତନତ୍ୱ ବି ଅଣାଯାଉଛି । ପ୍ରକଳ୍ପ ୧୭ଏରେ ନିର୍ମାଣ କରାଯାଉଥିବା ଜାହାଜଗୁଡ଼ିକର ନାମକରଣ ଭାରତରେ ଥିବା ପାହାଡ଼ଗୁଡ଼ିକର ନାମ ଅନୁସାରେ ହେଉଛି । ହିମାଳୟରେ ଥିବା ତାରାଗିରି ପାହାଡ଼ର ନାମ ଅନୁସାରେ ସଦ୍ୟ ତାରାଗିରି ଯୁଦ୍ଧପୋତର ନାମକରଣ ହୋଇଛି । ଉତ୍ତରାଖଣ୍ଡର ଗଡ଼ୱାଲରେ ଏହି ପାହାଡ଼ ରହିଛି । ପ୍ରକଳ୍ପ ୧୭ଏର ପ୍ରଥମ ଜାହାଜ ‘ନୀଳଗିରି’ ୨୦୧୯ ସେପ୍ଟେମ୍ବର ୨୮ରେ ଲଞ୍ଚ୍ କରାଯାଇଥିଲା ।