Odia News Portal

ଦିଲ୍ଲୀ ଅବକାରୀ ଘୋଟାଲା: ଚେନ୍ନାଇ-ମୁମ୍ବାଇ ସମେତ ୪୦ ସ୍ଥାନରେ ଇଡି ଚଢ଼ଉ

ଦିଲ୍ଲୀ ଅବକାରୀ ଘୋଟାଲା ସହ ସମ୍ପୃକ୍ତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬ଟି ରାଜ୍ୟରେ ଶୁକ୍ରବାର ଏକସଙ୍ଗେ ଚଢ଼ଉ କରିଛି । ଏହି ଚଢ଼ଉ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଦିଲ୍ଲୀର ୪୦ଟି ସ୍ଥାନରେ କରାଯାଇଛି । ଚଳିତବର୍ଷ ଦିଲ୍ଲୀରେ ଅବକାରୀ ଘୋଟାଲା ସାମ୍ନାକୁ ଆସିଥିଲା, ଯାହାର ତଦନ୍ତ ସିବିଆଇ କରୁଛି । ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । ସିବିଆଇ ତାଙ୍କୁ କେତେ ପର୍ଯ୍ୟାୟ ଜେରା ମଧ୍ୟ କରିସାରିଛି । ଶୁକ୍ରବାର ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା ପାଇଁ ମଧ୍ୟ ଇଡି ଟିମ୍ ତିହାର ଜେଲ୍ ଯାଇଥିଲା । ସ୍ପେଶାଲ୍ ସିବିଆଇ ଜଜ୍ ଗୀତାଞ୍ଜଳି ଗୋୟଲ୍ ଏହି ମାମଲାରେ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମାମଲାରେ ଜେରା ପାଇଁ ଗୁରୁବାର ଇଡିକୁ ଅନୁମତି ଦେଇଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର ୬ ତାରିଖରେ ଏହି ମାମଲାରେ ଇଡି ୩୦ ସ୍ଥାନରେ ଚଢ଼ଉ କରିଥିଲା । ଏହା ବ୍ୟତୀତ ଲକ୍ଷ୍ନୌ, ପଞ୍ଜାବ, ହରିୟାଣା, ତେଲେଙ୍ଗାନା ଏବଂ ମୁମ୍ବାଇର କେତେକ ମଦ ବ୍ୟବସାୟୀଙ୍କ ଠିକଣାରେ ଚଢ଼ଉ କରିଥିଲା । ତେବେ ମନୀଷ ସିସୋଦିଆ କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ଘରେ ଟିମ୍ ପହଞ୍ଚିନଥିଲା ।