Odia News Portal

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୨୧ ଯାଏ ପ୍ରବଳ ବର୍ଷା

ରବିବାରଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖରୁ ଭୀଷଣ ବର୍ଷିବ । ୨୧ ଯାଏ ପ୍ରବଳ ବର୍ଷା ହେବ । ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷିବ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପ ରୂପ ନେବ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ପୂରା ରାଜ୍ୟରେ ପ୍ରବଳ ବର୍ଷା ହେବ । ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।  ୧୯, ୨୦ ଓ ୨୧ ତିନି ଦିନ ରାଜ୍ୟରେ ଭୀଷଣ ବର୍ଷା ହେବ । ଏହି ୩ ଦିନ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୯ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁରରେ ଭାରୀ ବର୍ଷା ହେବ । ୨୦ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, କନ୍ଧମାଳ, ନୟାଗଡ଼, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କୋରାପୁଟ, ରାୟଗଡା, ବରଗଡ଼ ଓ ଝାରସୁଗୁଡାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।

 ୨୧ରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ତେବେ ରାଜ୍ୟରେ ୨୩ ତାରିଖ ପରେ ବିଶେଷ ବର୍ଷା ନାହିଁ । ଲଘୁଚାପ ସୃଷ୍ଟି ହେବାର କୌଣସି ପୂର୍ବାନୁମାନ ନାହିଁ । ଏହି ସମୟ ଭିତରେ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ଡ. ପଶୁପାଳକ କହିଛନ୍ତି ।