ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ମାମଲାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କସହ ବଡ ବଡ ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତ ରହିଥିବା ଚର୍ଚ୍ଚା ହେଉଛି । ତେଣୁ ସେମାନଙ୍କୁ ଘଣ୍ଟ ଘୋଡାଇବାକୁ ଯାଇ ମାମଲାକୁ ଚାପି ଦେବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛି ଭାରତୀୟ ଜନତା ପାର୍ଟି । ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।
ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଏହି ରାକେଟ ସହ ସରକାରୀ ଦଳର ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ଅଭିଯୋଗ କରିଛି, ”ତରବରିଆ ଭାବେ ଅର୍ଚ୍ଚନା ନାଗଙ୍କୁ ଗିରଫ କରାଯାଇଛି । ପୋଲିସ ଏତେ ତତ୍ପର ହେଲା କେମିତି ତାହା ଆଶ୍ଚର୍ଯ୍ୟ ଲାଗୁଛି । ଏହି ସେକ୍ସ ସ୍କାଣ୍ଡାଲରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କ ନାଁ ସ୍ପଷ୍ଟ କରୁନି ପୋଲିସ । ଏଥିରେ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ତୁରନ୍ତ ସ୍ପଷ୍ଟ କରନ୍ତୁ । କେଉଁ ପ୍ରଭାବଶାଳୀ ନେତାମାନେ ଏହି ଘଟଣାରେ ଜଡିତ ଅଛନ୍ତି ତାହା ସ୍ପଷ୍ଟ ହେବା ଦରକାର ।” ତେଣୁ ମାମଲାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।
ଅନେକ ଲୋକଙ୍କ ବ୍ଲୁ ଫିଲ୍ମ ରଖି ବ୍ଲାକମେଲ୍ କରାଯାଉଛି । କାହାର ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ ? ଏହି ଘଟଣାର ତଦନ୍ତରେ ପୋଲିସ ଓ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ସବୁ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ବ୍ୟକ୍ତିତ୍ବ ସାମ୍ନାକୁ ଆସିବା ଦରକାର ବୋଲି ବିଜେପି କହିଛି ।