– ୪ ଜିଲ୍ଲା ୧୧ ବ୍ଲକ୍ରେ ଗ୍ରାମ୍ୟ ପାଇପ୍ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ
– ମୋଟ୍ ୧୪୫୫ କୋଟି ୧୭ ଳକ୍ଷ ୭୨୨ ଟଙ୍କା ମଞ୍ଜୁର
– ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର ନିୟମାବଳୀ-୨୦୧୯ର ସଂଶୋଧନ
ସରକାର ପୁଣି ଥରେ ଗ୍ରାମାଞ୍ଚଳରେ ପାଇପ୍ ଜଳଯୋଗାଣ ଉପରେ ଅଧିକ ଫୋକସ୍ ଦେଇଛନ୍ତି । ଚାରୋଟି ଜିଲ୍ଲାରେ ମୋଟ୍ ୧୧ ଗ୍ରାମ୍ୟ ପାଇପ୍ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ ହୋଇଛି । ସେସବୁ ଜିଲ୍ଲାଗୁଡ଼ିକ ହେଉଛି ନୟାଗଡ଼, ଖୋର୍ଦ୍ଧା, ବରଗଡ଼ ଓ କଳାହାଣ୍ଡି । ଏଥିପାଇଁ ମୋଟ୍ ୧୪୫୫ କୋଟି ୧୭ ଳକ୍ଷ ୭୨୨ ଟଙ୍କା ମଞ୍ଜୁର ହୋଇଛି ।
ଶନିବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ । କେବଳ ଲୋକସେବା ଭବନରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବର ମୋହର ଲାଗିଥିଲେ ହେଁ କେବେଳ ଜଳସମ୍ପଦ ବିଭାଗର ୪ଟି ଜଳଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅନ୍ୟବିଭାଗଗୁଡ଼ିକ ମଧ୍ୟରେ ଆଇଟି, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ୍ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବହୁ ସଂଶୋଧିତ ପ୍ରସ୍ତାବରେ ବି ମୋହର ବାଜିଛି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଗତ କିଛି କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର ପାନୀୟ ଜଳ ସହ ଚାଷ ଜମିକୁ ଜଳସେଚନ ପାଇଁ ପ୍ରାଥମିକତା ଦେଇଛନ୍ତି । ଏଥର ବି ଅନୁରୂପ ନିଷ୍ପତ୍ତି ହୋଇଛି । ନୟାଗଡ଼, ଖୋର୍ଦ୍ଧା, ବରଗଡ଼ ଓ କଳାହାଣ୍ଡି ଭଳି ଚାରୋଟି ଜିଲ୍ଲାରେ ମୋଟ୍ ୧୧ ଗ୍ରାମ୍ୟ ପାଇପ୍ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଦୁଇଟି ବ୍ଲକ୍ ଥୁଆମୂଳ ରାମପୁର ଓ କୋକସରାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ୍ ୨୪୮କୋଟି ୯୧ ଲକ୍ଷ ୫ହଜାର ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି । ୨୪ ମାସରେ କାର୍ଯ୍ୟ ଶେଷ ହେବ । ୩୬ ଗ୍ରାମ ପଞ୍ଚାୟତର ୧୫୫ ଗ୍ରାମର ପ୍ରାୟ ୧୨୬୩୨୮ ଲୋକ ଉପକୃତ ହେବେ । ନୟାଗଡ଼ ଜିଲ୍ଲାରେ ସେମିତି ଦୁଇଟି ବ୍ଲକ୍ ରଣପୁର ଓ ଓଡ଼ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ୍ ୩୯୫ କୋଟି ୪୩ ଲକ୍ଷ ୭୯ ହଜାର ୭୨୨ ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି । ୨୪ ମାସରେ କାର୍ଯ୍ୟ ଶେଷ ହେବ । ୩୭ ଗ୍ରାମ ପଞ୍ଚାୟତର ୨୩୨ ଗ୍ରାମର ପ୍ରାୟ ୧୫୪୫୯୪ ଲୋକ ଉପକୃତ ହେବେ ।
ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୪ଟି ବ୍ଲକ୍ ଟାଙ୍ଗି,ଭୁବନେଶ୍ୱର,ବାଲିପାଟଣା ଓ ବାଲିଅନ୍ତାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ୍ ୪୫୬ କୋଟି ୫୧ ଲକ୍ଷ ୫ହଜାର ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି । ୨୪ ମାସରେ କାର୍ଯ୍ୟ ଶେଷ ହେବ । ୬୩ ଗ୍ରାମ ପଞ୍ଚାୟତର ୩୫୬ ଗ୍ରାମର ପ୍ରାୟ ୪,୧୬,୮୮୬ ଲୋକ ଉପକୃତ ହେବେ । ଅନ୍ୟପକ୍ଷରେ ଽରଗଡ଼଼ ଜିଲ୍ଲାରେ ସେମିତି ତିନୋଟି ବ୍ଲକ୍ ଆମ୍ବଭୋନା, ଭଟଲି ଓ ସୋହେଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ୍ ୪୫୩ କୋଟି ୧୦ ଲକ୍ଷ ୩୩ ହଜାର ଟଙ୍କାର ଟେଣ୍ଡର ଅନୁମୋଦନ ଲାଭ କରିଛି । ତାହା ବି ୨୪ ମାସରେ କାର୍ଯ୍ୟ ଶେଷ ହେବ । ମୋଟ୍ ୫୮ ଗ୍ରାମ ପଞ୍ଚାୟତର ୩୧୬ ଗ୍ରାମର ପ୍ରାୟ ୬୫,୭୧୫ ଲୋକ ଉପକୃତ ହେବେ । ଏମିତି ମୋଟ୍ ଚାରି ଜିଲ୍ଲାର ୧୧ ବ୍ଲକ୍ରେ ମୋଟ୍ ୧୪୫୫ କୋଟି ୧୭ ଳକ୍ଷ ୭୨୨ ଟଙ୍କା ବ୍ୟୟ ହେବ ।
କ୍ୟାବିନେଟ୍ରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଥିମଧ୍ୟରେ ସମନ୍ୱିତ ବୈଷୟିକ ସେବା ନୁଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ପ୍ରଣୟନ, ସମନ୍ୱିତ ସ୍ନାତକୋତ୍ତର ସ୍ତର ନୁଯୁକ୍ତି ପ୍ରକ୍ରିୟା ନିୟମାବଳୀ-୨୦୨୨ର ପ୍ରଣୟନ ଏବଂ ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର(କନିଷ୍ଠ ସହାୟକ,ସହକାରୀ ଉପବିଭାଗ ଅଧିକାରୀ ଓ ଉପବିଭାଗ ଅଧିକାରୀ) ନିୟମାବଳୀ-୨୦୧୯ର ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ସେହିପରି କୋଭିଡ୍ ଯୋଗୁଁ କ୍ଷତିରେ ସହିଥିବା ଏସ୍ଡିସି ଓ ଏସ୍ଡିଇସିଗୁଡ଼ିକର ଭଡ଼ା ଛାଡ଼ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ବୋଲି ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି ।