କେନ୍ଦ୍ର ରେଳବାଇ, ଯୋଗାଯୋଗ, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଆଜି ଭୁବନେଶ୍ବର ରେଳଷ୍ଟେସନରେ ଦେଶର ପ୍ରଥମ ଆଲୁମିନିୟମ ଫ୍ରେଟ ରେକ-୬୧ BOBRANALHSM-1କୁ ଉଦଘାଟନ କରିଛନ୍ତି । ଏହି ଆଲୁମିନିୟମ ନିର୍ମିତ ରେକ୍ଗୁଡ଼ିକୁ ବିଳାସପୁର ପଠାଯାଇଛି । ଭାରତୀୟ ରେଳବାଇର ଆରଡିଏସଓ, ହିଣ୍ଡାଲକୋ ଏବଂ ବେସକୋ ଓ୍ବାଗନର ମିଳିତ ସହଯୋଗରେ ସ୍ବତନ୍ତ୍ର ଦେଶୀ କାରିଗରୀ କୌଶଳରେ ଏହି ଓ୍ବାଗନ ନିର୍ମିତ ହୋଇଛି । ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମର ଏହା ଏକ ସଫଳ ଉଦାହରଣ ।
ଆଲୁମିନିୟମ ରେକ୍ର ବିଶେଷତ୍ବ ମଧ୍ୟରେ ଏହାର ନିର୍ମାଣରେ ଓ୍ବେଲଡିଂ ନ ଥିବାବେଳେ ସମଗ୍ର ରେକ୍ ସମ୍ପୂର୍ଣ୍ଣ ଭାବେ ଲକ୍ ବୋଲଟେଡ୍ । ଏହି ଓ୍ବାଗନର ଓଜନ (ଟେର୍) ପାରମ୍ପରିକ ଷ୍ଟିଲ ରେକଠାରୁ ୩.୨୫ଟନ୍ କମ୍ । ଷ୍ଟିଲ୍ ରେକ୍ ତୁଳନାରେ ଏହା ୧୮୦ଟନ୍ ଅଧିକ ମାଲ୍ ନେବାକୁ ସକ୍ଷମ । ଫଳରେ ଓ୍ବାଗନଗୁଡ଼ିକରେ ମାଲ ପରିବହନ କ୍ଷମତା ବଢିବ । ଉଚ୍ଚତର ମାଲବୋଝେଇ ଅନୁପାତ ଓ୍ବାଗନ ଓଜନର ୨.୮୫ ରହିଛି । ଓ୍ବାଗନର ଓଜନ କମ୍ ରହିଲେ ଇଞ୍ଜିନ ଉପରେ କମ୍ ଚାପ ପଡ଼ିବ ଏବଂ ଇନ୍ଧନ ଖର୍ଚ୍ଚ କମ୍ ହେବ । ସେହିଭଳି କମ୍ ଇନ୍ଧନ ବ୍ୟବହାର ଦ୍ବାରା ଅଙ୍ଗାରକାମ୍ଳ ନିର୍ଗମନ କମିବ ।
ଗୋଟିଏ ଆଲୁମିନିୟମ ରେକ୍ ଏହାର ଜୀବନକାଳ ମଧ୍ୟରେ ୧୪,୫୦୦ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିପାରିବ । ଅନ୍ୟପଟେ ରେକ୍ର ପୁନଃ ବିକ୍ରିମୂଲ୍ୟ ୮୦ପ୍ରତିଶତ । ଓ୍ବାଗନ ବ୍ୟବହାର ଅନୁପଯୁକ୍ତ ହେଲେ ଏଥିରେ ଲାଗିଥିବା ଆଲୁମିନିୟମକୁ ପୁନର୍ବାର ବ୍ୟବହାର କରିହେବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହାର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ୍, କାରଣ ଏଥିରେ ଲୁହା ବ୍ୟବହୃତ ହୋଇ ନ ଥିବାରୁ କଳଙ୍କି ଲାଗିବାର ସମ୍ଭାବନା ନାହିଁ ।