Odia News Portal

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଇଡକୋ ପରିଚାଳନା ନିର୍ଦ୍ଦେଶକ

ଇଡକୋ ପରିଚାଳନା ନିର୍ଦ୍ଦେଶକ ତଥା ହକି ବିଶ୍ୱକପ୍ ପାଇଁ ଓଏସଡି ଭାବେ ନିଯୁକ୍ତ ଭୁପିନ୍ଦ୍ର ସିଂ ପୁନିଆ ସୋମବାର ଦିନ ରାଉରକେଲା ଗସ୍ତରେ ଆସିଥିଲେ। ସେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଯୋଗଦେଇ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।

ରାଉରକେଲା ବିପିୟୁଟି କ୍ୟାମ୍ପସରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଛି। ସମୀକ୍ଷା ବେଳେ ଭୁପିନ୍ଦ୍ର ସିଂ ପୁନିଆ ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲେ। ନିର୍ଦ୍ଧାରିତ ସମୟ ସୁଦ୍ଧା ଷ୍ଟାଡିୟମ କାମ ଶେଷ କରିବା ଲାଗି ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ବିପିୟୁଟି କ୍ୟାମ୍ପସକୁ ଯାଇ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ।

୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରାଯାଉଛି। ଭୁପିନ୍ଦ୍ର ସିଂ ପୁନିଆ ରାସ୍ତା ନିର୍ମାଣ କାର୍ଯ୍ୟ ସହିତ ସୗନ୍ଦର୍ଯ୍ୟକରଣ, ପାନୀୟ ଜଳ ଯୋଗାଣ, ପାର୍କିଂ, ଟ୍ରାଫିକ୍ ବ୍ୟବସ୍ଥା ଏବଂ ସିସିଟିଭି ଲଗାଇବା ଆଦି ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟର ନିୟମିତ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।