Odia News Portal

୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଗଲା
ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)। ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା (ଆଇଏମବିଏଲ) ନିକଟରୁ ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି। ଏକ ସୁଗମ ସମନ୍ବିତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରି ଆଇସିଜି ସେମାନଙ୍କର ଜୀବନ ରକ୍ଷା କରିଛି। ‘‘ସିତ୍ରାଙ୍ଗ’’ ବାତ୍ୟା ପରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ଏୟାରକ୍ରାଫ୍ଟ ସମୁଦ୍ରରେ ବୁଡ଼ିଯାଇଥିବା ମତ୍ସ୍ୟଜୀବୀମାନଙ୍କ ଡଙ୍ଗାକୁ ଦେଖିପାରିଥିଲା। ଏହାପରେ ସନ୍ଧାନ ଓ ଉଦ୍ଧାର (ଏସଏଆର) ଟିମକୁ ଖବର ଦିଆଯାଇଥିଲା। ଏହି ଟିମ୍‌ତ୍ବରିତ ପଦକ୍ଷେପ ନେଇ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲା ଏବଂ ପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା

ସିତ୍ରାଙ୍ଗ’’ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ସ୍ଥିତି ଅନୁଧ୍ୟାନ କରିବା ସହିତ ବାତ୍ୟା ଦ୍ବାରା ପ୍ରଭାବିତ ନାବିକମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ବିମାନ ଉଡ଼ାଣ ଆରମ୍ଭ କରିଥିଲା। ନିରୀକ୍ଷଣ ସମୟରେ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଠାରୁ ୯୦ ନଟିକାଲ ମାଇଲ ଦୂରରେ ଏକ ନୌକା ବୁଡ଼ିଯାଇଥିବା ଦେଖାଯାଇଥିଲା। ସେଥିରେ ଥିବା ୨୦ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଫସି ରହିଥିଲେ। ଏହି ମତ୍ସ୍ୟଜୀବୀମାନେ ବୁଡ଼ିଯାଇଥିବା ମାଛଧରା ନୌକାର ଭାସମାନ ସାମଗ୍ରୀ ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଧରି ସମୁଦ୍ରରେ ପହଁରୁଥିଲେ। ସେମାନଙ୍କୁ ଦେଖି ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଡୋର୍ଣ୍ଣିଅର ବିମାନରୁ ଲାଇଫ ରାଫ୍ଟ ବା ଜରୁରିକାଳୀନ ସ୍ଥିତିରେ ସମୁଦ୍ରରେ ଉପଯୋଗ କରାଯାଉଥିବା ଜୀବନ ରକ୍ଷାକାରୀ ଡଙ୍ଗା ପକାଇଥିଲେ ଏବଂ ମତ୍ସ୍ୟଜୀବୀମାନେ ସେହି ଡଙ୍ଗାରେ ନବସିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଥିଲେ।

ଏହି ସମୟରେ ‘‘ନାନତା ଭୁମ’’ ନାମକ ବାଣିଜ୍ୟିକ ଜାହାଜ ସେହି ଅଞ୍ଚଳ ଦେଇ ଯାଉଥିଲା। ଜାହାଜଟି ମାଲେସିଆର କ୍ଲାଙ୍ଗ ବନ୍ଦରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏହି ଜାହାଜକୁ ଦିଗ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଦେଇଥିଲା ଏବଂ ଲାଇଫ ରାଫ୍ଟରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ କହିଥିଲା।