ସିଂହଦ୍ଵାର ଥାନା ଓ ଟାଉନ ଥାନାରେ ଦୁଇ ହେତୁବାଦୀଙ୍କ ବିରୋଧରେ ହୋଇଥିବା ଏତଲାକୁ ନେଇ ଅନୁସନ୍ଧାନ କରିବ ପୁଲିସ । ୨ ଦିନ ଭିତରେ ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୁତାରଙ୍କୁ ନୋଟିସ ଜାରି କରାଯିବ। ନୋଟିସ ପାଇବା ପରେ ଉଭୟ ଥାନାକୁ ଆସିବେ। ପୁଲିସ ସେମାନଙ୍କୁ ଏହି ଅଭିଯୋଗ ସମ୍ପର୍କରେ ପଚରା ଉଚରା କରି ଘଟଣାର ଅନୁସନ୍ଧାନ କରିବ ବୋଲି କହିଛନ୍ତି ସିଟି ଡିଏସପି କେ.କୋଣ୍ଡାଦୋରା ହରିପ୍ରସାଦ।
ପ୍ରତାପଙ୍କ ବିରୋଧରେ ସିଂହଦ୍ଵାର ଥାନାରେ ବୁଧବାର ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ହୋଇଥିଲା । ଗୁରୁବାର ଦେବେନ୍ଦ୍ରଙ୍କ ବିରୋଧରେ ଅନ୍ୟ ଜଣେ ବୁଦ୍ଧିଜୀବୀ ଟାଉନ ଥାନାରେ ଏତଲା ଦେଇଥିଲେ । ଉଭୟ ଥାନାରେ ଏହି ୨ ହେତୁବାଦୀଙ୍କ ବିରୋଧରେ ଜେନେରାଲ ଡାଏରୀ ଏଣ୍ଟ୍ରି କରାଯାଇଥିବା କହିଛନ୍ତି ସିଟି ଡ଼ିଏସପି ଶ୍ରୀ ହରିପ୍ରସାଦ। ସୂଚନାଯୋଗ୍ୟ ଯେ, ସୂର୍ଯ୍ୟ ପରାଗରେ ପାକ ନିଷେଧ ପରମ୍ପରାକୁ ନଷ୍ଟ କରି ହେତୁବାଦୀମାନେ ଆମିଷ ରନ୍ଧା ଖାଦ୍ୟ ଖାଇ କୋଟି କୋଟି ଓଡ଼ିଆଙ୍କ ଧର୍ମୀୟ ଭାବନାକୁ ଧ୍ୱଂସ କରିଥିବା ଓ ବିଭିନ୍ନ ଗଣମାଧ୍ୟମରେ ପରମ୍ପରା ବିରୋଧୀ ମନ୍ତବ୍ୟ ଦେବା କାରଣରୁ ଉଭୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଥିଲା।