Odia News Portal

ସୈନିକ ସ୍କୁଲରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଅନଲାଇନ୍ ଆବେଦନ ଆରମ୍ଭ

ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା (ଏଆଇଏସଏସଇଇ) ୨୦୨୩ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ୨୧ ଅକ୍ଟୋବର, ୨୦୨୨ ଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ https://aissee.nta.nic.in ୱେବସାଇଟରେ ଏଆଇଏସଏସଇଇ ୨୦୨୩ ପାଇଁ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରାଯାଇନଥିଲେ ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ। ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ନିମନ୍ତେ ୩୦ ନଭେମ୍ବର ୨୦୨୨ ଅପରାହ୍ଣ ୫ଟା ସୁଦ୍ଧା ଆବେଦନ କରିପାରିବେ। ଚଳିତ ବର୍ଷ ଭୁବନେଶ୍ବର ସୈନିକ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମଲେଖା ଲାଗି ଉଭୟ ଝିଅ ଓ ପୁଅ ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିପାରିବେ। ପୁଅଙ୍କ ପାଇଁ ୧୦୩ ଏବଂ ଝିଅଙ୍କ ପାଇଁ ୧୨ଟି ଆସନରେ ନାମ ଲେଖାଯିବ। ୨୦୨୩-୨୪ ଶିକ୍ଷା ବର୍ଷରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ନିମନ୍ତେ ଛାତ୍ରଛାତ୍ରୀଙ୍କ ବୟସ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୦ରୁ ୧୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

୮ ଜାନୁଆରୀ ୨୦୨୩, ରବିବାର ଦିନ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏଠାରେ ସୂଚନାଯୋଗ୍ୟ ଯେ ୩ ଲକ୍ଷ ଟଙ୍କାରୁ କମ ବାର୍ଷିକ ଆୟ ଥିବା ପରିବାରର ଛାତ୍ରଛାତ୍ରୀଙ୍କୁ ସୈନିକ ସ୍କୁଲରେ ପାଠପଢ଼ା ନିମନ୍ତେ ଟ୍ୟୁସନ ଫି’ ବାବଦରେ ସହାୟତା ଯୋଗାଇ ଦେବା ଲାଗି ଓଡ଼ିଶା ସରକାର ଏକ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ୨୦୧୯-୨୦ ଶିକ୍ଷା ବର୍ଷ ଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ସୈନିକ ସ୍କୁଲରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୨-୨୩ ଶିକ୍ଷା ବର୍ଷ ଠାରୁ ଖାଦ୍ୟ ସବସିଡି ଯୋଜନା ଆରମ୍ଭ କରିଛନ୍ତି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଅଣ ସ୍ବଚ୍ଛଳ ବର୍ଗ), ପ୍ରତିରକ୍ଷା ଓ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ଦିନକୁ ୭୫ ଟଙ୍କା ଲେଖାଏଁ ୨୯୫ଟି କାର୍ଯ୍ୟ ଦିବସ ପାଇଁ ବର୍ଷକୁ ୨୨,୧୨୫ ଟଙ୍କା ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ବୃତ୍ତି ଯୋଜନା, ଖାଦ୍ୟ ସବସିଡି ଯୋଜନା ସହିତ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆର୍ଥିକ ସହାୟତା କାରଣରୁ ସାଧାରଣ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ସୈନିକ ସ୍କୁଲରେ ପାଠପଢ଼ିବା ସହଜଲବ୍ଧ ହୋଇପାରିଛି ଯାହାକି ଦେଶରେ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବାର ଏକ ପ୍ରମୁଖ ଉଦ୍ଦେଶ୍ୟ।