Odia News Portal

୧୩୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା
ସେବା ସମ୍ବର୍ଗ (ଓଏମଇଏସ୍ କ୍ୟାଡର)ର ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି । ଏହି ନିଯୁକ୍ତି ପାଇଁ ଓଡିଶା ଲୋକ ସେବା ଆୟୋଗ ସୁପାରିଶ କରିଥିଲେ । ଏଥିପୂର୍ବରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୭ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୬୫ ଜଣ ଓଏମଇଏସ୍ କ୍ୟାଡର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ଏହାଫଳରେ ୨୦୨୨ ବର୍ଷରେ ମୋଟ ୧୬ଟି ବିଭାଗରେ ୧୯୫ ଜଣ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଛନ୍ତି । ଏହି ବିଭାଗ ଗୁଡିକ ହେଲା ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ , ଶରୀର ଗଠନ, ଯକ୍ଷ୍ମା ଓ ଛାତି ରୋଗ, ଚକ୍ଷୁରୋଗ , ଶରୀରତତ୍ୱ , ରକ୍ତସଞ୍ଚାଳନ ଭେଷଜ, ଶଲ୍ୟ ଚିକିତ୍ସା, ଶିଶୁରୋଗ, ଗୋଷ୍ଠୀ ଭେଷଜ, ପ୍ରସୂତି ଓ ସ୍ତ୍ରୀ ରୋଗ, ନିଦାନ, ଚର୍ମ ଓ ଯୌନ ରୋଗ, ନିଶ୍ଚେତକ, ଅଣୁଜୀବ ବିଜ୍ଞାନ ଏବଂ ନୀତି ତାତ୍ୱିକ ଭେଷଜ ଓ ବିଷ ବିଜ୍ଞାନ । ଏହାଦ୍ୱାରା ରାଜ୍ୟର ମେଡିକାଲ କଲେଜରେ ଶିକ୍ଷାଦାନରେ ଉନ୍ନତି ଆଣିବା ସହିତ ଜନସାଧାରଣଙ୍କୁ ଉଚ୍ଚକୋଟିର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ।