ବାବା ଧବଳେଶ୍ୱରଙ୍କ ବଡ଼ଓଷା ପର୍ବକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି ଭକ୍ତ । ଏହିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳିପଡେ ଧବଳେଶ୍ୱରଙ୍କ ପୀଠ । ଭକ୍ତମାନେ ଧାଡ଼ିରେ ଘଣ୍ଟାଘଣ୍ଟା କାଳ ଅପେକ୍ଷା କରି ମନଭରି ପ୍ରଭୁଙ୍କ ବଡସିଂହାର ବେଶକୁ ଦର୍ଶନ କରିଥାନ୍ତି । ଏଥର କିନ୍ତୁ ସେ ଭାଗ୍ୟ ଜୁଟିବନାହିଁ । ଭକ୍ତଙ୍କ ବିନା ଧବଳେଶ୍ୱର ପୀଠରେ ହେବ ବଡଓଷା ନୀତି, ବାବାଙ୍କ ବଡସିଂହାର ବେଶ । ଏହାକୁ ନେଇ ଭକ୍ତଙ୍କ ମନରେ ଗଭୀର କ୍ଷୋଭ ଦେଖିବାକୁ ମିଳିଛି । କାରଣ କରୋନା ଦାଉରୁ ଦୁଇବର୍ଷ ଧରି ଏ ଦୁର୍ଲଭ ଦର୍ଶନରୁ ବଞ୍ଚିତ ହୋଇଥିବାବେଳେ ଏଥର ମଧ୍ୟ ପ୍ରଶାସନର ଚକ୍ରବୁହ୍ୟରେ ଫସି ସୁଯୋଗ ହରାଇଛନ୍ତି ପ୍ରଭୁଙ୍କ ବଡସିଂହାର ବେଶ ଦେଖିବାକୁ ହେବ।
ଭର୍ଚୁଆଲ୍ ବ୍ୟବସ୍ଥାରେ ଧବଳେଶ୍ୱରଙ୍କ ଦର୍ଶନକୁ ନେଇ ଭକ୍ତଙ୍କ ମଧ୍ୟରେ ସେ ଉତ୍ସାହ ନାହିଁ । ଗତକାଲି ହାତଗଣତି କେତେଜଣ ଲୋକ ପୀଠକୁ ଆସି ନିରାଶରେ ଫେରିଥିଲେ । ଶନିବାର ଦ୍ୱିତୀୟ ପଞ୍ଚକରେ ବାବା ଧବଳେଶ୍ୱର ଗଙ୍ଗାଧର ବେଶରେ ଦର୍ଶନ ଦେଇଥିବାବେଳେ ପୀଠରେ ଭକ୍ତଙ୍କୁ ବାରଣ ଯୋଗୁଁ ଏହାର ସୁଯୋଗ ହାସଲ କରିପାରିନାହାନ୍ତି । ଦେବୋତ୍ତର ଓ ପୂଜକ ସମିତିର ନୀତିନିର୍ଘଣ୍ଟ ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ବାବା ଧବଳେଶ୍ୱରଙ୍କୁ ଗଙ୍ଗାଧର ବେଶରେ ସଜ୍ଜିତ କରାଯାଇଥିଲା । ଭୋର ୫ଟାରେ ଦ୍ୱାର ଫିଟା ହୋଇଥିଲା । କିନ୍ତୁ ଏହି ବେଶକୁ ଦେଖିବା ପାଇଁ ନଥିଲେ ଶ୍ରଦ୍ଧାଳୁ । ବ୍ୟାରିକେଡ୍ ଫାଙ୍କା ପଡିଥିଲା । ହାତଗଣତି କେତେଜଣ ଲୋକ ଆସି ଭର୍ଚୁଆଲ୍ ଦର୍ଶନ କରି ଫେରିଥିଲେ ।
ଶନିବାର ପ୍ରଶାସନ ତରଫରୁ ପାଦୁକ ସହ ପ୍ରସାଦ ସ୍ୱରୁପ ଧବଳେଶ୍ୱରଙ୍କ ନିକଟରେ ଲାଗି ହେଉଥିବା ଚୁଡାଘଷା ପ୍ରଦାନ କରାଯାଇଥିଲା । ହେଲେ ବାବାଙ୍କ ପୀଠକୁ ଯାଇ ଦର୍ଶନତୃପ୍ତିର ଆନନ୍ଦ ନପାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଭକ୍ତ । ତେଣୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଆଣିଥିବା ପୂଜା ସାମଗ୍ରୀକୁ ପୂଜା କରିବା ପାଇଁ ପୀଠକୁ ପଠାଉଥିବା ଦେଖିବାକୁ ମିଳିଥିଲା । ମାହୋଲକୁ ଜମାଇବା ଉଦ୍ଦେଶ୍ୟରେ ସଂଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଇଥିଲା । ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ମଞ୍ଚେଶ୍ୱର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁଙ୍କ ସହିତ ପୁଲିସ ଅଧିକାରୀ ଓ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ । ତ୍ରୟୋଦଶୀ ତିଥିରେ ପ୍ରଭୁଙ୍କ ବଡ଼ଓଷା ଅନୁଷ୍ଠିତ ହେବ । ବଡଓଷା ଲାଗି ଭକ୍ତଙ୍କ ସଂଖ୍ୟା ବଢିବ ବୋଲି ପ୍ରଶାସନ ଆଶା କରିଛି ।