Odia News Portal

ଯୁବ ଫୁଟବଲ ଖେଳାଳିଙ୍କ ମୃତ୍ୟୁ: ୨ ଡାକ୍ତରଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା

ଜଣେ ୧୮ ବର୍ଷୀୟ ମହିଳା ଫୁଟବଲ ଖେଳାଳିଙ୍କ ମୃତ୍ୟୁ ନେଇ ପୂରା ଚେନ୍ନାଇରେ ହଇଚଇ ସୃଷ୍ଟି ହୋଇଛି। ଚିକିତ୍ସା ଅଭାବରୁ ଫୁଟବଲ ଖେଳାଳି ଆର ପ୍ରିୟାଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ଫୁଟବଲ ଖେଳିବା ବେଳେ ପ୍ରିୟା ଲିଗାମେଣ୍ଟ ବା ଆଣ୍ଟୁ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ପେରିୟାର ନଗରରେ ଥିବା ସରକାରୀ ହସ୍ପିଟାଲରେ ତାଙ୍କର ସର୍ଜରୀ ହୋଇଥିଲା। ଏହି ସର୍ଜରୀ ପରେ କୁଇନ ମାରୟସ କଲେଜରେ ବିଏସ୍ସି କରୁଥିବା ପ୍ରିୟାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଶୁକ୍ରବାର ଚେନ୍ନାଇ ସିଟି ପୁଲିସ ୫ ଜଣଙ୍କ ନାଁରେ ମାମଲା କରିଛି। ୫ ଜଣଙ୍କ ମଧ୍ୟରେ ଦୁଇ ଜଣ ଡାକ୍ତର ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ସର୍ଜରୀ ବେଳେ ଡାକ୍ତରମାନେ ପ୍ରିୟାଙ୍କ ଜଙ୍ଘରେ ଟୁର୍ନିକିଟ(ବେଲ୍ଟ ଆକାରର ଗୋଟିଏ ଜିନିଷ) ଲଗାଇଥିଲେ। କିନ୍ତୁ ଅପରେସନ ପରେ ଏହାକୁ ବାହାର କରିବାକୁ ଭୁଲି ଯାଇଥିଲେ। ଏହି ମେଡିକାଲ ଅବହେଳା ଯୋଗୁ ପ୍ରିୟା କିଛି ଦିନ ପରେ ସଂକ୍ରମଣ କାରଣରୁ ନିଜ ଡାହାଣ ଗୋଡ଼ ହରାଇଥିଲେ। ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କ ଗୋଡ଼କୁ ସଂକ୍ରମଣ କାରଣରୁ କାଟି ଦିଆଯାଇଥିଲା। ତେବେ ଏହି ଘଟଣା ପରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ପ୍ରିୟା ମଙ୍ଗଳବାର ସକାଳେ ସବୁଦିନ ପାଇଁ ଆଖି ବୁଜି ଦେଇଇଛନ୍ତି। ପ୍ରିୟାଙ୍କ ମୃତ୍ୟୁ ପରେ ପେରାଭାଲ୍ଲୁର ପୁଲିସ ଧାରା ୩୦୪(ଏ) ଅନୁଯାୟୀ ଡାକ୍ତର ସୋମାସୁନ୍ଦରମ, ଡାକ୍ତର ପଲ ରାମ ଶଙ୍କର, ଡ୍ୟୁଟି ମେଡିକାଲ ଅଫିସର, ନିସ୍ତେଜ ଦେଇଥିବା ଅଧିକାରୀ ଓ ଜଣେ ୱାର୍ଡ ଷ୍ଟାଫ ମେମ୍ବରଙ୍କ ନାଁରେ ମାମଲା କରିଛି। ଏହି ୫ ଅଭିଯୁକ୍ତଙ୍କୁ ପୁଲିସ୍ ଜେରା କରିବାକୁ ସମନ କରିଛି।