Odia News Portal

ହୋଟେଲରୁ ପର୍ଯ୍ୟଟକ ନିଖୋଜ

ପୁରୀ ସମୁଦ୍ର କୂଳ ଥାନା ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ଶାନ୍ତି ପ୍ୟାଲେସରୁ ଜଣେ ୧୮ ବର୍ଷୀୟା ଯୁବତୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗତକାଲି ସକାଳେ ଯୁବତୀ ଜଣକ ହୋଟେଲ ବାହାରକୁ ଆସିଥିବା ବେଳେ ଆଉ ରୁମକୁ ଫେରିନଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବତୀ ଜଣକ ହେଲେ ମଧ୍ୟପ୍ରଦେଶ ସାଗର ଗ୍ରାମର ପ୍ରହଲ୍ଲାଦ କୁଶୁୱାଙ୍କ ଝିଅ ରାଧିକା କୁଶୁୱା।

ନିଖୋଜ ଯୁବତୀଙ୍କ ବାପାଙ୍କ ସୂଚନା ଅନୁସାରେ ଗତକାଲି ୫ଟା ୪୨ ସମୟରେ କାହାକୁ କିଛି ନକହି ରାଧିକା ହୋଟେଲ୍ ରୁମରୁ ଏକୁଟିଆ ହୋଟେଲ ବାହାରକୁ ଆସିଥିଲା। ତେବେ ଦୀର୍ଘ ସମୟ ଧରି ହୋଟେଲକୁ ରାଧିକା ନଫେରିବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଏନେଇ ସମୁଦ୍ର କୂଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ହୋଟେଲରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଚେକ୍ କରିବା ସହ ସ୍ଥାନୀୟ ଅଞ୍ଚଳରେ ଅନୁସନ୍ଧାନ ଜାରୀ ରଖିଛି। ଘଟଣାକୁ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କର କୈାଣସି ପତା ପାଇନି ପୋଲିସ। ଗତ ୨୧ ତାରିଖରେ ପ୍ରହଲ୍ଲାଦ ତାଙ୍କ ସମ୍ପର୍କୀୟ ଓ ପଡ଼ୋଶୀଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ତେବେ ତାଙ୍କ ପଡୋଶୀ ଗତକାଲି ହୋଟେଲରୁ ଯିବା ପରେ ତାଙ୍କ ଝିଅ ନିଖୋଜ ହୋଇଥିବା ସେ କହିଛନ୍ତି। ଏପଟେ ପୋଲିସ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ।