Odia News Portal

ଆସୁଛି ଆଉ ଏକ ଲଘୁଚାପ: ୪ ତାରିଖରେ ଆଣ୍ଡାମାନ ସାଗରରେ ହେବ ଘୂର୍ଣ୍ଣିବଳୟ

ଆସୁଛି ଆଉ ଏକ ଲଘୁଚାପ। ୪ ତାରିଖରେ ଆଣ୍ଡାମାନ ସାଗରରେ ହେବ ଘୂର୍ଣ୍ଣିବଳୟ। ୫ ତାରିଖରେ ଏହା ଲଘୁଚାପର ରୂପ ନେବ। ସ୍କାଏମେଟର ଆକଳନ, ଲୋ ପ୍ରେସର ନେଇପାରେ ଡିପ୍ରେସନର ରୂପ। ତେବେ ସାମୁଦ୍ରିକ ଝଡ଼ ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ସ୍କାଏମେଟ୍‌। ଆଗାମୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଆଗାମୀ ୫ଦିନ ଯାଏ ରହିବ ଏହାର ପ୍ରଭାବ। ଆଣ୍ଡାମାନ ନିକୋବର ଦ୍ୱୀପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ସହ କେରଳ, କର୍ଣ୍ଣାଟକ, ତାମିଲନାଡୁ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ବର୍ଷାର ପୂର୍ବାନୁମାନ ହୋଇଛି।

ସେପଟେ ପାଣିପାଗ ସଂସ୍ଥା ସ୍କାଏମେଟ ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଭାରତର ପୂର୍ବତଟକୁ ଗତି ନକରି ମ୍ୟାମାର ଆଡ଼କୁ ମୁହାଁଇବ। ସାଧାରଣତଃ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଏହା କିନ୍ତୁ ରିକର୍ଭ କରି ମ୍ୟାମାର ମୁହାଁ ହେବ। ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ଆକଳନ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ଆଶଙ୍କ ନାହିଁ। କିନ୍ତୁ ସପ୍ତାହ ଶେଷ ବେଳକୁ ଏହା ମ୍ୟାମାର, ଥାଇଲାଣ୍ଡ ଆଡକୁ ଗତି କରି ବର୍ଷା କରିବ।