Odia News Portal

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତି

ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱାଭାବିକ ହେଲା ସ୍ଥିତି। ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ସଫଳ ହୋଇଛି । ଗତ ୧ ତାରିଖରୁ ମହାପ୍ରଭୁ ଲିଙ୍ଗରାଜ ବିନା ଭୋଗରେ ଉପବାସ ଥିଲେ ଏବଂ ନୀତିକାନ୍ତି ବନ୍ଦ ଥିଲା । ଆଜି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା, ବଡୁ ଓ ସମର୍ଥ ନିଯୋଗର କର୍ମକର୍ତ୍ତା । ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ବୈଠକରେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣି ସରିବା ପରେ ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି କଥା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି। ଏଣିକି ପ୍ରତି ମାସରେ ଥରେ ବୈଠକ କରି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।