Odia News Portal

୪ ଦିନ ପରେ ସୁନ୍ଦରଗଡ଼ରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍‌

ଓଡ଼ିଶାରେ ହକି କହିଲେ ସୁନ୍ଦରଗଡ଼କୁ ବୁଝାଏ । ଯଦିଓ ଆଉ କିଛି ଅଞ୍ଚଳରେ ଏ କ୍ରୀଡ଼ାର ଆଦର ରହିଛି କିନ୍ତୁ ସୁନ୍ଦରଗଡ଼ରେ ହକିର ଲୋକପ୍ରିୟତା ଅଦ୍ଭୁତ ଓ ଅବିଶ୍ୱସନୀୟ । ପ୍ରତି ଘରେ ରହିଛନ୍ତି ହକି ଖେଳାଳି । ପିଢ଼ି ପରେ ପିଢ଼ି ଏହି ଖେଳର ଆଦର ରହି ଆସିଛି । ପୁରୁଷ ଓ ମହିଳା ସମସ୍ତେ ଏଥିରେ ଭାଗ ନିଅନ୍ତି । ପ୍ରତି ଗାଁ ଗାଁରେ ପ୍ରତିଯୋଗିତା ହୁଏ । ଖାସି ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼ରେ ବେଶ୍‌ ଲୋକପ୍ରିୟ । ବର୍ଷରେ ୨ ହଜାରରୁ ଊଦ୍ଧ୍ୱର୍ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ । ପ୍ରତି ମ୍ୟାଚ୍‌ରେ ପାଞ୍ଚ ସାତ ଗାଁରୁ ଦର୍ଶକଙ୍କ ଭିଡ଼ ଜମେ । ଜାତୀୟ ହେଉ କି ଅନ୍ତର୍ଜାତୀୟ, ସୁନ୍ଦରଗଡ଼ ଦେଇଛି ଅନେକ ଖେଳାଳି । ରାଜ୍ୟକୁ ପ୍ରଥମ ଅଲିମ୍ପିକ୍ସ ପଦକ ଭେଟି ଦେବାରେ ହକି ଖେଳାଳିଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ତେଣୁ ସୁନ୍ଦରଗଡ଼କୁ ଓଡ଼ିଶା ହକିର ଗଡ଼ ବୋଲି କୁହାଯାଏ ।

ପିଟର ତିର୍କୀ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଠାରୁ ଅମିତ ରୋହିଦାସ ଓ ନୀଲମ ସଞ୍ଜୀବ ଖେସଙ୍କ ପର୍ଯ୍ୟନ୍ତ ଏକାଧିକ ଅନ୍ତର୍ଜାତୀୟ ଖେଳାଳି ଦେଶ ତଥା ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ । ଖେଳ ଥିଲା, ଖେଳାଳି ବି ଥିଲେ କିନ୍ତୁ ଭିତ୍ତିଭୂମି ନଥିଲା । ଯାହାବି ଥିଲା ତାହା କେବଳ ଅଭ୍ୟାସ ପାଇଁ ଉପଯୋଗୀ ଥିଲା । କିନ୍ତୁ ୨୦୧୦ ପରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ହକି ବିପ୍ଳବ । ଭୁବନେଶ୍ୱରରେ ନିର୍ମାଣ ହେଲା ହକି ଷ୍ଟାଡିୟମ । ହକି ଇଣ୍ଡିଆ ଲିଗ୍‌ରେ ରାଜ୍ୟ ସରକାର ଏକ ଫ୍ରାଞ୍ଚାଇଜ କ୍ରୟ କରିଥିଲେ, ଯାହାର ନାମ ଥିଲା କଳିଙ୍ଗ ଲାନସର୍ସ । ଏହାପରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହକି ଚାମ୍ପିଅନ୍ସ ଟ୍ରଫି-୨୦୧୪ । ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ହିଁ ୨୦୧୮ ହକି ବିଶ୍ୱକପ୍‌ ପାଇଁ ପଥ ପରିଷ୍କାର କରିଦେଇଥିଲା । ଶେଷରେ ହକି ଇଣ୍ଡିଆର ପ୍ରସ୍ତାବକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ରାଜ୍ୟ ସରକାର ୨୦୧୮ ବିଶ୍ୱକପ୍‌ ଆୟୋଜନରେ ନୂଆ ଫର୍ଦ୍ଦ ଯୋଡ଼ିଥିଲେ । ପୁଣି କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ଆୟୋଜନର ଅଧିକାର ପାଇଥିଲା ଓଡ଼ିଶା । ହକି ଇଣ୍ଡିଆ ଲିଗ୍‌, ଚାମ୍ପିଅନ୍ସ ଟ୍ରଫି, ହକି ବିଶ୍ୱକପ୍‌, ଜୁନିୟର ହକି ବିଶ୍ୱକପ୍‌, ପ୍ରୋ ଲିଗ୍‌ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ କଳିଙ୍ଗରେ ଆୟୋଜିତ ହୋଇଛି ।

କ୍ରମାନ୍ୱୟରେ ଦ୍ୱିତୀୟ ଥର :
ବିଶ୍ୱକପ୍‌ ଇତିହାସରେ ଗୋଟିଏ ଭେନ୍ୟୁରେ ଦୁଇ ଥର ବିଶ୍ୱକପ୍‌ ଆୟୋଜିତ ହେବାର ନଜିର ନାହିଁ । କିନ୍ତୁ ପ୍ରଥମ ଥର ଓଡ଼ିଶାରେ କ୍ରମାନ୍ୱୟରେ ଦ୍ୱିତୀୟ ଥର ବିଶ୍ୱକପ୍‌ ଆୟୋଜିତ ହେଉଛି । ରାଉରକେଲାରେ ନୂଆ ଷ୍ଟାଡିୟମ ନିର୍ମାଣ ହେବା ଆୟୋଜକଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ । ମାତ୍ର ୧୫ ମାସ ମଧ୍ୟରେ ଷ୍ଟାଡିୟମର କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା । ଏହି ଷ୍ଟାଡିୟମକୁ ଲାଗି ରହିଛି ହକି ଅଭ୍ୟାସ ଗ୍ରାଉଣ୍ଡ ଓ ହକି ଗ୍ରାମ । ଏଥିରେ ରହିଛି ଜିମ୍‌, ସୁଇମିଂ ପୁଲ, ହାଇଡ୍ରୋଥେରାପି ଭଳି ବହୁ ଆଧୁନିକ ସୁବିଧା ସୁଯୋଗ । ଦିନେ ସୁନ୍ଦରଗଡ଼ରେ ଯେ ହକି ବିଶ୍ୱକପ୍‌ ଆୟୋଜିତ ହେବ, ଏକ କଥା କେବେ କେହି ଚିନ୍ତା ହିଁ କରି ନଥିଲେ । କିନ୍ତୁ ହକି ପ୍ରତି ଭଲ ପାଇବା ଏବଂ ହକି ପାଇଁ ଉତ୍ସର୍ଗୀକୃତ ଭାବନା ହିଁ ଏହାକୁ ବାସ୍ତବରୂପ ଦେଇଛି । କେବଳ ସୁନ୍ଦରଗଡ଼ ନୁହଁ ସାରା ଦେଶ ପାଇଁ ଏହା ଗୌରବର ସ୍ଥଳ ପାଲଟିଛି । ହକି ନୂଆ ଓଡ଼ିଶାର ପରିଚୟ ପାଲଟି ଯାଇଛି ।

୧୬ ଦଳ୪୪ ମ୍ୟାଚ୍‌ : ୧୬ଟି ଦଳକୁ ନେଇ ଏଥର ବିଶ୍ୱକପ୍‌ରେ ୪୪ଟି ମ୍ୟାଚ୍‌ ଖେଳାଯିବ । ରାଉରକେଲାରେ ୨୦ଟି ଏବଂ ଭୁବନେଶ୍ୱରରେ ଫାଇନାଲ ସମେତ ୨୪ଟି ମ୍ୟାଚ୍‌ ଖେଳାଯିବାର ସୂଚୀ ରହିଛି । ପୁଲ୍‌ ଏ’ରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ପୁଲ୍‌ ବି’ରେ ବେଲଜିୟମ, ଜର୍ମାନୀ, ଦକ୍ଷିଣ କୋରିଆ, ଜାପାନ, ପୁଲ୍‌ ସି’ରେ ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ମାଲେସିଆ, ଚିଲି ଏବଂ ପୁଲ୍‌ ଡି’ରେ ଭାରତ, ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ରହିଛନ୍ତି । ବିଶ୍ୱକପ୍‌ ଜାନୁଆରୀ ୧୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ ।

ବିଶ୍ୱକପ୍‌ ପାଇଁ ଖର୍ଚ୍ଚ ୧୦୯୮ କୋଟି : ପୁରୁଷ ହକି ବିଶ୍ୱକପ୍‌ର ୨୦୨୩ ସଂସ୍କରଣ ଉଭୟ ରାଉରକେଲା ଓ ଭୁବନେଶ୍ୱରରେ ଆୟୋଜିତ ହେଉଛି । ତେଣୁ ଏଥିପାଇଁ ମୋଟ୍‌ ୧୦୯୮.୪୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ସୂଚନା ଦେଇଥିଲେ ।
ଆସନ୍ତା ଜାନୁଆରୀ ୧୩ ତାରିଖରୁ ହକି ବିଶ୍ୱକପ୍‌ ଆରମ୍ଭ ହେବ । ରାଉରକେଲାରେ ଏଥିପାଇଁ ଏକ ନୂଆ ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ଯାହାର ଦର୍ଶକ ଧାରଣ କ୍ଷମତା ରହିଛି ୨୦ ହଜାରରୁ ଊଦ୍ଧ୍ୱର୍ । ଷ୍ଟାଡିୟମ ସମେତ ହକି ଅଭ୍ୟାସ ଗ୍ରାଉଣ୍ଡ ଏବଂ ଖେଳାଳିଙ୍କ ରହିବା ପାଇଁ ୨୨୫ କୋଠରୀ ବିଶିଷ୍ଟ ହକି ଗ୍ରାମ ମଧ୍ୟ ନିର୍ମାଣ ହୋଇଛି ।

ବିଧାନସଭାରେ କ୍ରୀଡ଼ାମନ୍ତ୍ରୀ କହିଥିଲେ, ‘୨୦୨୩ ପୁରୁଷ ହକି ବିଶ୍ୱକପ୍‌ର କ୍ରୀଡ଼ା ପରିଚାଳନା ନିମନ୍ତେ ୭୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେମିତି ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ପାଇଁ ୧୦୨୩.୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।’ କେବଳ ବିର୍ସା ମୁଣ୍ଡା ଷ୍ଟାଡିୟମର ନିର୍ମାଣରେ ୮୭୫.୭୮ କୋଟି ଖର୍ଚ୍ଚ ହୋଇଛି । ସେମିତି କଳିଙ୍ଗ ଷ୍ଟାଡିୟମରେ ଉନ୍ନତିକରଣ, ଭେନ୍ୟୁ ମ୍ୟାନେଜମେଣ୍ଟ, ପରିବହନ, ଗଣମାଧ୍ୟମରେ ବିଜ୍ଞାପନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୪୭.୬୨ କୋଟି ଟଙ୍କା ଖର୍ଚ୍ଚ ହେବ । ‘୬୬,୯୮,୦୦,୦୦୦ କୋଟି ଟଙ୍କା ୨୦୧୮ ବିଶ୍ୱକପ୍‌ରେ ଖର୍ଚ୍ଚ ହୋଇଥିଲା ବୋଲି ମନ୍ତ୍ରୀ କହିଥିଲେ ।

ଭାରତୀୟ ଦଳରେ  ଓଡ଼ିଆ : ଭାରତୀୟ ୧୮ ଜଣିଆ ବିଶ୍ୱକପ୍‌ ଦଳରେ ଷ୍ଟାର ଡ୍ରାଗ୍‌ ଫ୍ଲିକର ହର୍ମନପ୍ରୀତ ସିଂଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ସେମାନେ ହେଲେ ଅମିତ ଓ ନୀଲମ ସଞ୍ଜୀବ ଖେସ । ଉଭୟଙ୍କ ଘର ସୁନ୍ଦରଗଡ଼ । ନିଜ ଘରୋଇ ମାଟିରେ ବିଶ୍ୱକପ୍‌ ଖେଳିବାକୁ ଯାଉଥିବାରୁ ସେମାନେ ବହୁତ ଖୁସି ଥିବା କହିଛନ୍ତି ।

୨ଟି ସହରରେ ଭେନ୍ୟୁ : ୨୦୨୩ ବିଶ୍ୱକପ୍‌କୁ ସ୍ମରଣୀୟ କରିବା ପାଇଁ ଯୋଜନା କରିଥିଲେ ରାଜ୍ୟ ସରକାର । ପୂର୍ବରୁ ହକି ବିଶ୍ୱକପ୍‌ କେବଳ ଗୋଟିଏ ସହରରେ ହିଁ ଆୟୋଜିତ ହୋଇ ଆସୁଥିଲା । କିନ୍ତୁ ଏହି ବିଶ୍ୱକପ୍‌କୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏଥିପାଇଁ ରାଉରକେଲାରେ ଏକ ସଂପୂର୍ଣ୍ଣ ନୂଆ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା ।

ହକି ବିଶ୍ୱକପ୍‌ ଇତିହାସରେ କେତୋଟି ନୂଆ କଥା ଏଥର ଦେଖିବାକୁ ମିଳିଛି । ପ୍ରଥମଟି ହେଲା, ଦୁଇଟି ସହରରେ ବିଶ୍ୱକପ୍‌ ଆୟୋଜନ । ଦ୍ୱିତୀୟଟି-ବିଶ୍ୱକପ୍‌ ପାଇଁ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମର ନିର୍ମାଣ । ସେହିପରି ତୃତୀୟଟି ହେଉଛି, ହକି ଖେଳାଳିଙ୍କ ରହିବା ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମରେ ନିର୍ମାଣ ହୋଇଛି ହକି ଗ୍ରାମ । ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅଲିମ୍ପିକ୍ସ ଓ ଏସୀୟ କ୍ରୀଡ଼ାରେ କ୍ରୀଡ଼ାବିତଙ୍କ ରହିବା ପାଇଁ ଏଭଳି କ୍ରୀଡ଼ା ଗ୍ରାମ ନିର୍ମାଣ କରାଯାଇଥାଏ । ୨୦୧୮ ସଂସ୍କରଣରେ ଓଡ଼ିଶା ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରି ସାରା ବିଶ୍ୱକୁ ଚକିତ କରିଦେଇଥିଲା । ପ୍ରତି ମ୍ୟାଚ୍‌ରେ ଦର୍ଶକଙ୍କ ଭିଡ଼ ବିଶ୍ୱରେ କଳିଙ୍ଗ ଷ୍ଟାଡିୟମକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ସୁନ୍ଦରଗଡ଼ରେ ଏବେ ଯେତିକି ହକିର ମାହୋଲ, ଏଥର କଳିଙ୍ଗକୁ ପଛରେ ପକାଇବ ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ।