Odia News Portal

ଯାତ୍ରୀଙ୍କୁ ଛାଡ଼ି ପଳାଇଲା ବିମାନ, ଗୋ ଫର୍ଷ୍ଟରୁ ରିପୋର୍ଟ ତଲବ କଲା ଡିଜିସିଏ

ଯାତ୍ରୀଙ୍କୁ ନ ନେଇ ପଳାଇଲା ବିମାନ । ଗୋ ଫର୍ଷ୍ଟର ବେଙ୍ଗାଲୁରୁ-ଦିଲ୍ଲୀ ଫ୍ଲାଇଟ୍ ଯାତ୍ରୀଙ୍କୁ ନ ନେଇ ପଳାଇଥିବା ଅଭିଯୋଗ ହୋଇଛି | ଏହି ବିମାନରେ ୫୦ ଯାତ୍ରୀ ଯିବାର ଥିଲା । ଏହି ଯାତ୍ରୀମାନେ ଚେକ୍ ଇନ୍ ଓ ବୋର୍ଡିଂ ଆଦି ସବୁ ଔପଚାରିକତା ପୂରଣ କରି ବସରେ ଅପେକ୍ଷା କରିଥିଲେ | ତେବେ ଯାତ୍ରୀଙ୍କ ବିନା ଗୋ ଫର୍ଷ୍ଟ ବିମାନ ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ କରିଥିଲା | କମ୍ପାନୀ ଏହି ଘଟଣାର ତଦନ୍ତ କରୁଛି।

ଗତକାଲି ଏହି ଘଟଣା ଘଟିଥିଲା | ବାଙ୍ଗାଲୋର ବିମାନବନ୍ଦରରେ ଅଟକି ରହିଥିବା ୫୦ ଜଣ ଯାତ୍ରୀଙ୍କୁ ଗୋ ଫର୍ଷ୍ଟ ଅନ୍ୟ ଏକ ବିମାନରେ ଦିଲ୍ଲୀ ପଠାଇଥିଲା | ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ଘଟଣାରେ ଗୋ ଫର୍ଷ୍ଟରୁ ରିପୋର୍ଟ ମାଗିଛି। ଏପରି ଅବହେଳା ପାଇଁ ଡିଜିସିଏ ଏହି ଏୟାରଲାଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ।

ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ବିମାନରେ ଯାତ୍ରୀମାନଙ୍କ ଅଶୋଭନୀୟ ଆଚରଣ ଓ ଏଥିପ୍ରତି ଏୟାରଲାଇନ କମ୍ପାନୀଙ୍କ କୋହଳ ମନୋଭାବ ଚର୍ଚ୍ଚାର ବିଷୟ ପାଲଟିଛି ।