ବର୍ତ୍ତମାନ ସବୁ ଠାରେ ଅନଲାଇନ ଟିକେଟ ବୁକିଙ୍ଗର ଯୁଗ ଚାଲିଛି । କାହାରିକୁ ଆଉ ଲାଇରେ ଛିଡା ହେବା ପସନ୍ଦ ନୁହେଁ । ଏହି ଧାଡିରେ ଛିଡା ହେବେ ନାହିଁ ବୋଲି ଦର୍ଶକ ଅନଲାଇନରେ ସିନେମା ଟିକେଟ୍ ଠାରୁ ଆରମ୍ଭ କରି ଟ୍ରେନ ଟିକେଟ୍ ପର୍ଯ୍ୟନ୍ତ ବୁକ କରୁଛନ୍ତି । ଆଉ ଏବେ ଏହି ସୁବିଧା ଆପଣଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ମିଳିବ । ଆପଣ ଚାହିଁଲେ ଅନଲାଇନରେ ଟିକେଟ ବୁକ କରି ପାରିବେ ।
ଏଥିପାଇଁ ଆପଣଙ୍କୁ ଲମ୍ବା ଲାଇନରେ ମଧ୍ୟ ଛିଡା ହେବାକୁ ପଡିବ ନାହିଁ । ନା ଆପଣଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡିବ ନା ଆପଣଙ୍କ ସମୟ ନଷ୍ଟ ହେବ । ଆପଣ ଆରମରେ ଯାଇ ନିଜର ଚିକିତ୍ସା ହୋଇ ପାରିବେ । ଭୁବନେଶ୍ୱରରେ ପ୍ରଥମ କରି କ୍ୟାପିଟାଲ ହସ୍ପିଟାଲରେ ଏହି ପାଇଲଟ ପ୍ରକଳ୍ପର ଆରମ୍ଭ କରାଯାଇଛି । ଜାନୁୟାରୀ ୯ ତାରିଖ ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । କେବଳ ଏତିକି ନୁହେଁ ବହୁ ଲୋକ ଏହି ସୁବିଧାର ଫାଇଦା ମଧ୍ୟ ଉଠାଉଛନ୍ତି । ରୋଗୀ ତଥା ତାଙ୍କ ସମ୍ପର୍କୀୟ www.eswastya.odisha.gov.in ରେ ଲଗଇନ କରି ସେଠାରେ ନିଜର ତଥ୍ୟ ଆଉ ବିଭାଗକୁ ଚୟନ କରିବେ । ତାପରେ ତାରିଖ ଦେଇ ଟିକେଟ ବୁକ୍ କରିପାରିବେ । ସେଠାରେ ଆସିଥିବା ଫାଇଲକୁ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏଥପାଇଁ ହସ୍ପିଟାଲରେ ଏକ କିଓସ୍କ ମେସିନ ସ୍ଥାପନ କରାଯାଇଛି। ଲୋକ ମାନେ କ୍ୟୁଆର କୋଡ କୁ ସ୍କାନ କରିପାରିବେ । ଏଠାରେ ସେହି କୋଡକୁ ସ୍କାନ କରି ପ୍ରିଣ୍ଟ ବାହାର କରିହେବ ।
ତେବେ ଏହି ସୁବିଧା କେବଳ ରବିବାରକୁ ଛାଡ଼ିଦେଲେ ସପ୍ତାହର ଅନ୍ୟ ଦିନ ମାନଙ୍କରେ ଉପଲବ୍ଧ ରହିବ। ପ୍ରତିଦିନ ୩ ଟା ରୁ ୫ ଟା ପର୍ୟ୍ୟନ୍ତ ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏନେଇ ପ୍ରତିଦିନ ରାତି ୧୨ ଟା ରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ୫ ଟା ମଧ୍ୟରେ ବିଭିନ୍ନ ବିଭାଗରେ ଟିକେଟ ବୁକ୍ କରିହେବ । ସୂଚନା ମୁତାବକ କଟକ ବଡ଼ ମେଡିକାଲ ପରେ ଏବେ କେବଳ କ୍ୟାପିଟାଲ ହସ୍ପିଟାଲ ରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ।
