Odia News Portal

ଓଡ଼ିଶାରେ ଲଞ୍ଚ ହେଲା ଗ୍ରୀଡ ସବ୍‌ଷ୍ଟେସନ

୫ଟି ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ ହୋଇଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଗ୍ରିଡ ଷ୍ଟେସନ ଲୋକାର୍ପିତ କରିଛନ୍ତି।

ଏଥିପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ଉପକୃତ ହେବେ। ଜୀବନଧାରଣର ମାନରେ ଉନ୍ନତି ପାଇଁ ବିଦ୍ୟୁତ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ସରକାର।

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର ବୀରମହାରାଜପୁର ଓ କଟକ ଜିଲ୍ଲାର ଗୋଡିସାହି ଓ ବହୁଗ୍ରାମ ଭଳି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ ହୋଇଛି।

ଗ୍ରିଡ ଷ୍ଟେସନ ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ଉତ୍ତମ ବିଦ୍ୟୁତଶକ୍ତିର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ ଓ ଆବଣ୍ଟନ ଭିତ୍ତିଭୂମିର ବିକାଶ ଉପରେ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି।

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି, ଶିଳ୍ପ ଓ ସାଧାରଣ ଜୀବନଯାପନ ସବୁ କ୍ଷେତ୍ରରେ ଉତ୍ତମ ଓ ନିରବଚ୍ଛିନ୍ନ ବିଦ୍ୟୁତର ଆବଶ୍ୟକତା ରହିଛି। ବିଜୁଳି ଶକ୍ତି ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହାକୁ ଅଯଥାରେ ନଷ୍ଟ ନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ବିଦ୍ୟୁତ ସଂପ୍ରସାରଣ କ୍ଷେତ୍ରରେ ଏକ ଦୃଢ଼ ଭିତ୍ତିଭୂମିର ବିକାଶ କରାଯାଇଛି। ବର୍ତ୍ତମାନ ରାଜ୍ୟରେ ୧୮୫ଟି Extra High Voltage Grid Sub-Station ଥିବାବେଳେ ୧୬,୦୦୦ ସର୍କିଟ କିଲୋମିଟର ନେଟୱାର୍କ ରହିଛି।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଓଡ଼ିଶା ବିଦ୍ୟୁତ ଶକ୍ତିରେ ଏକ ବଳକା ରାଜ୍ୟ ହୋଇପାରିଛି। ଓଡ଼ିଶାର ଶକ୍ତି ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ସଫଳ ହେଉଛି।

ସେହିପରି ଏହି ଅବସରରେ ଓଡ଼ିଶା କୋଲ୍‌ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ମୁଖ୍ୟ ଶାସନ ସଚିବଙ୍କୁ ଏହି ପରିମାଣର ଚେକ୍‌ ପ୍ରଦାନ କରାଯାଇଥିଲା। ଅତି ଅଳ୍ପ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଏହି ସଂସ୍ଥା ଲାଭ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚପ୍ରଶଂସା କରିଥିଲେ।

୨୦୨୨-୨୩ର ପ୍ରଥମ ୬ ମାସ ମଧ୍ୟରେ OCPL ୬୨୬ କୋଟି ଟଙ୍କା ଲାଭ କରିଛି ଏବଂ କୋଇଲା ଉତ୍ପାଦନରେ ୬୦ ପ୍ରତିଶତ ବୃଦ୍ଧି ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।