Odia News Portal

ସମ୍ବଲପୁରରେ ପଶ୍ଚିମ ଓଡିଶାର ପ୍ରଥମ କୃଷି ମେଳା ଉଦଘାଟିତ, ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ସମ୍ବଲପୁର ପିଏଚଡି ପଡିଆରେ ଆରମ୍ଭ ହୋଇଛି ପଶ୍ଚିମ ଓଡିଶାର ପ୍ରଥମ କୃଷକ ମେଳା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଏହାକୁ ଉଦଘାଟନ କରି ସମ୍ବୋଧନ କରିଛନ୍ତି। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କୃଷି ସହିତ ଜଡିତ ସବୁ ବର୍ଗର ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି। ଆଧୁନିକ କୃଷି ପ୍ରଣାଳୀ ହିଁ ଏ ଦିଗରେ ବଳିଷ୍ଠ ପଦକ୍ଷେପ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଶ୍ରୀ ସ୍ବାଇଁ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଏଥିରେ କୃଷି ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଆରଡିସି ସୁରେଶ ଚନ୍ଦ୍ର ଦଳେଇ ପ୍ରମୁଖ ଯୋଗଦେଇଛନ୍ତି।

ଏହି ୫ ଦିନିଆ ମେଳାରେ ଯୋଗଦେଇଛନ୍ତି ପଶ୍ଟିମ ଓଡିଶାର ୧୦ ଜିଲ୍ଲା ଓ ଅନୁଗୁଳ ଆଠମଲ୍ଲିକ ସବଡିଭିଜନର ୫୦୦ରୁ ଉର୍ଦ୍ଧ୍ବ ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ, ଏସଏଚଜି ମହିଳା, ମିଲେଟ ମିଶନ ସଦସ୍ୟା ସମେତ ବୁଣାକାର ଓ ହସ୍ତଶିଳ୍ପ କାରିଗର।

ନୂତନ ଜ୍ଞାନ କୌଶଳରେ ନିର୍ମିତ କୃଷି ଯନ୍ତ୍ରପାତି କେମିତି ଚାଷୀ ସବସିଡି ଦରରେ ପାଇପାରିବେ ନେଇ ପ୍ରଦର୍ଶନୀ ହେବା ସହ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି। ଉଦ୍ୟାନ କୃଷିଠାରୁ ଆରମ୍ଭ କରି ଜୈବିକ ପଦ୍ଧତିରେ ଚାଷ ପନିପରିବା ସମେତ ବିହନ ପ୍ରଦର୍ଶନୀ କରାଯାଇଛି | ପାରମ୍ପରିକ କୃଷିଠାରୁ ଦୂରରେ ରହି ଚାଷୀ ନୂତନ ଜ୍ଞାନକୌଶଳ ବ୍ୟବହାର କରି କେମିତି ଆୟ ବୃଦ୍ଧି କରିବା ସହ ଉତ୍ପାଦନ ଦୁଇଗୁଣ କରିପାରିବ ସନେଇ ଏହି ମେଳା କରାଯାଉଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ମେଳାରେ ପ୍ରତିଦିନ ସେମିନାର ଅନୁଷ୍ଠିତ ହେଉଥିବା ବେଳେ ଚାଷୀ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇପାରିବ।