ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର: ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ By Swadhikar News Last updated Mar 10, 2026 ଓଡ଼ିଶାରେ ରେଳସଂଯୋଗୀକରଣକୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇ କେନ୍ଦ୍ର ସରକାର, ପୋତ୍ତନୁର (Podanur Junction, Coimbatore) ଏବଂ ଧାନବାଦକୁ ସଂଯୋଗ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବା ଆରମ୍ଭ କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ, ଓଡ଼ିଶା-ତାମିଲନାଡୁ-ଝାଡ଼ଖଣ୍ଡ ମଧ୍ୟରେ ରେଳ ସେବାକୁ ସୁଦୃଢ଼ କରିବ ବୋଲି ଏହି ପତ୍ର ମାଧ୍ୟମରେ ଜଣାଇଛନ୍ତି । ରାଜ୍ୟରେ ରେଳ ସଂଯୋଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ ଏହି ନୂତନ ଅମୃତ ଭାରତ ଟ୍ରେନ ସେବାକୁ ଅନୁମୋଦନ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ନିଜ X ହ୍ୟାଣ୍ଡେଲ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି ।ସୂଚନା ଯୋଗ୍ୟ ଯେ, ଝାଡ଼ଖଣ୍ଡ ପହଞ୍ଚିବା ପୂର୍ବରୁ ଏହି ଟ୍ରେନ୍ ରାୟଗଡା, ମୁନିଗୁଡ଼ା, କେସିଙ୍ଗା, ଟିଟଲାଗଡ଼, ବଲାଙ୍ଗୀର, ବରଗଡ ରୋଡ୍, ସମ୍ବଲପୁର, ଝାରସୁଗୁଡା ଏବଂ ରାଉରକେଲା ସମେତ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଦେଇ ଯିବ। ଏହି ଟ୍ରେନ୍ ସେବା ଆରମ୍ଭ ହେବା ଦ୍ୱାରା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ଯାତ୍ରୀମାନେ ଯଥେଷ୍ଟ ଲାଭ ପାଇବେ ତତସହିତ ଦକ୍ଷିଣ ଭାରତ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନକୁ ସହଜ ଯାତ୍ରାର ବିକଳ୍ପ ପ୍ରଦାନ କରିବ। ଏହା ଏହି ଅଞ୍ଚଳଗୁଡ଼ିକ ମଧ୍ୟରେ ପ୍ରାୟତଃ ଯାତାୟତ କରୁଥିବା ଛାତ୍ର, ଶ୍ରମିକ, ବ୍ୟବସାୟୀ ଏବଂ ଯାତ୍ରୀମାନଙ୍କୁ ମଧ୍ୟ ସାହାଯ୍ୟ କରିବ। swadhikarswadhikar news Share