ଲଣ୍ଡନ ଏବଂ ଦୁବାଇ ପରେ ୟୁରୋପ ବଜାରରେ ଉପଲବ୍ଧ ହେବ ସମ୍ବଲପୁର ମାଟିର ସ୍ୱାଦିଷ୍ଟ ଆମ୍ବ l ଜିଲ୍ଲା ଚାଷୀଙ୍କ ଆମ୍ବର ବେଶ୍ ଚାହିଦା ରହିଛି ରାଜ୍ୟ ତଥା ରାଜ୍ୟ ବାହାରେ l ବିଗତ କିଛି ବର୍ଷ ହେଲା ଜିଲ୍ଲାର ଆମ୍ବ ଦିଲ୍ଲୀ ବଜାରରେ ମିଳୁଥିବା ବେଳେ ଗତ ବର୍ଷ ଦୁବାଇ ଓ ଲଣ୍ଡନକୁ ରପ୍ତାନି ହୋଇଥିଲା l ଆଉ ଏଥର ସମ୍ବଲପୁର ମାଟିର ଫଳ ଇଟାଲୀ ସହ ଅନ୍ୟ କେତୋଟି ୟୁରୋପୀୟ ଦେଶକୁ ରପ୍ତାନି ହେବାକୁ ଯାଉଛି l ବିଶେଷ କରି ‘ଆମ୍ରପଲ୍ଲୀ’ ଆମ୍ବର ଚାହିଦା ଅଧିକ ଏବଂ ଏହା ଗୋଟା 250 ଗ୍ରାମରୁ 300 ଗ୍ରାମ ରହୁଛି ।
ପ୍ରଥମ ପର୍ଯ୍ୟାୟରେ ଏହା ଦିଲ୍ଲୀର ମଦର ଡାଏରୀକୁ ଆସନ୍ତାକାଲି ରପ୍ତାନି ହେବକୁ ଥିବା ବେଳେ ଆଗକୁ ୟୁରୋପକୁ ପଠାଯିବ l ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ସଂସ୍ଥା ସହ ଆଲୋଚନା ହୋଇଥିବା ବେଳେ ସ୍ଥାନୀୟ ଚାଷୀଙ୍କ ସହ ଏହି ସଂସ୍ଥାମାନଙ୍କ ବୈଠକ ହୋଇଥିବା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି l
ଏନେଇ ସ୍ଥାନୀୟ ଚାଷୀ ମାନେ ମଧ୍ୟ ବେଶ୍ ଖୁସି ଥିବା ବେଳେ ଭଲ ରୋଜଗାର କରିବେ ବୋଲି ଆଶା ରଖିଛନ୍ତି l ସୂଚନାଯୋଗ୍ୟ ଯେ ଜିଲ୍ଲାର ବାମରା, କୁଚିଣ୍ଡା, ଜମେନକିରା ଜୁଯୁମୁରା ତଥା ରେଢ଼ାଖୋଲ ଅଞ୍ଚଳରେ ଭଲ ଆମ୍ବ ଫଳିଛି l ଏହି ଅଞ୍ଚଳର ଆମ୍ବ ମିଠା ଓ ବଡ଼ ବଡ଼ ହୋଇଥିବାରୁ ଏହାର ଚାହିଦା ବହୁତ ବେଶୀ l ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ବାମରା, କୁଚିଣ୍ଡା ଓ ଜୁଯୁମୁରା ଅଞ୍ଚଳର ଆମ୍ବ ବାହାରକୁ ରପ୍ତାନି କରାଯିବ ବୋଲି ସୂଚନା ମିଳିଛି lପ୍ରଥମେ ଏହି ଅଞ୍ଚଳ ଗୁଡିକରେ ଚାଷୀ ମାନେ କେବଳ ଧାନ ଚାଷ କରୁଥିଲେ, ତେବେ କିଛି ବର୍ଷ ହେଲା ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉଦ୍ୟମରେ ଏହି ଅଞ୍ଚଳରେ ଆମ୍ବ ଚାଷ ହେଉଛି l ଆଉ ଏହା ଦ୍ୱାରା ଚାଷୀ ମାନେ ଭଲ ରୋଜଗାର କରୁଥିବା ସୂଚନା ଦେଇଛନ୍ତି l
ସମ୍ବଲପୁର ଜୁଯୁମୁରା ବ୍ଲକର ସବୁଜ ସନାତନପାଲି ଫାର୍ମର ପ୍ରଦ୍ୟୁସାର କମ୍ପାନୀର ଚାଷୀ ମନବୋଧ ବାରିକ ମଧ୍ୟ କିଛି ବର୍ଷ ହେଲା ଆମ୍ବ ଚାଷ କରି ଆସୁଛନ୍ତି l ଵେଦେଶକୁ ଆମ୍ବ ରପ୍ତାନି ନେଇ ସେ କୁହନ୍ତି ଯେ ଗତଥର ଆମ ଆମ୍ବ ଦୁବାଇ, ଲଣ୍ଡନ ଓ ଦିଲ୍ଲୀର ମଦର ଡାଏରୀକୁ ରପ୍ତାନି ହୋଇଥିଲା । ଆଉ ଏଥର ୟୁରୋପୀୟ ଦେଶ ଓ ଦିଲ୍ଲୀର ମଦର ଡାଏରୀ ସଂସ୍ଥାକୁ ଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି l
ଚାଷୀ ପୁଣି କହିଛନ୍ତି, ଏଥର ଅମର FPCର ଚାଷୀ ମାନଙ୍କ ପକ୍ଷରୁ ବାହାରକୁ 10 ଟନ ଆମ୍ବ ପଠାଯିବାର ଲକ୍ଷ୍ୟ ରହିଛି l ପ୍ରଥମ ପର୍ଯ୍ୟାୟରେ ଆମ୍ରପଲ୍ଲୀ ଓ ପରେ ଲେଙ୍ଗରା ଆମ୍ବ ପଠାଯିବ l ବର୍ତ୍ତମାନ ସ୍ଥାନୀୟ ଚାଷୀ ସ୍ଥାନୀୟ ବଜାରରେ କିଲୋ ପ୍ରତି 20 ରୁ 30 ଟଙ୍କାରେ ବିକ୍ରି କରି ଦେଉଛନ୍ତି, ତେବେ ବାହାରକୁ ରପ୍ତାନି କଲେ କିଲୋ ପ୍ରତି 80 ରୁ 90 ଟଙ୍କା ପର୍ଯ୍ୟନ୍ତ ଦାମ ଯାଉଛି l ତାହାକୁ ପ୍ୟାକେଜିଂ ଓ ବ୍ରାଣ୍ଡିଂ କରି ପାଠା ଯାଉଛି l ଏହା ଦ୍ୱାରା ଚାଷୀମାନେ ବେଶ ଉପକୃତ ହେଉଛନ୍ତି lପୂର୍ବରୁ ଚାଷୀମାନେ 15ରୁ 20 ଟଙ୍କାରେ ଆମ୍ବ ବିକ୍ରି କରି ଦେଉଥିଲେ । ତେବେ ବାହାରକୁ ପଠେଇଲେ ଚାଷୀ 40 ରୁ 50 ଟଙ୍କା ପାଉଛନ୍ତି l ଏଥିପାଇଁ ଏଥର ଜୁଯୁମୁରା ଓ ରେଢ଼ାଖୋଲ ଅଞ୍ଚଳର 60 ଜଣ ଚାଷୀ ଆମ FPC ଜରିଆରେ ଆମ୍ବ ବିକ୍ରି କରିବାକୁ ପଞ୍ଜିକରଣ କରିଛନ୍ତି l ଆମେ ମୁଖ୍ୟତଃ ‘ଆମ୍ରପଲ୍ଲୀ ଓ ଲେଙ୍ଗରା’ ଆମ୍ବ ଯାହାର 250 ଗ୍ରାମରୁ 300 ଗ୍ରାମ ରହୁଛି ତାହାକୁ ବାହାରକୁ ପଠାଉଛୁ ବୋଲି କହିଛନ୍ତି ଚାଷୀ ମନବୋଧ ବାରିକ lଜୁଯୁମୁରା ଅଞ୍ଚଳର ଅନ୍ୟ ଜଣେ ଚାଷୀ ପ୍ରମୋଦ ବାରିକଙ୍କ କହିବା କଥା, “ପୂର୍ବରୁ ଆମେ ସ୍ଥାନୀୟ ବଜାରରେ ବିକ୍ରି କରୁଥିଲୁ । ବର୍ତ୍ତମାନ ସବୁଜ ସନାତନପାଲି FPC ମାଧ୍ୟମରେ ବାହାର ବଜାରରେ ବିକ୍ରି କରୁଛୁ l ବର୍ତ୍ତମାନ ଆମେ ଦଶେରୀ, ନୀଳମ, ମଲ୍ଲିକା, ଆମ୍ରପଲ୍ଲୀ ସହ ବିଭିନ୍ନ ପ୍ରକାରର ଆମ୍ବ ଚାଷ କରିଛୁ l ପୂର୍ବରୁ ଆମେ କେବଳ ଧାନ ଚାଷ କରୁଥିଲୁ, ଏଥିରେ ଆମକୁ ବିଶେଷ ଲାଭ ହେଉନଥିଲା,ପରେ ବାଦାମ ଚାଷ କଲୁ, ତାକୁ ମଧ୍ୟ ବାରହା ନଷ୍ଟ କରି ଦେଉଥିଲେ । ପରେ ଉଦ୍ୟାନ କୃଷି ବିଭାଗର ଅଧିକାରୀ ଆମ ଗାଁକୁ ଆସି ଏଠାରେ ଆମ୍ବ ଚାଷ କରିବାକୁ କହିଥିଲେ l ଆଉ ସେମାନେ ମାଟି ପରୀକ୍ଷା କରି ଆମକୁ ବିଭିନ୍ନ ଭେରାଇଟିର ଆମ୍ବ ଚାରା ଦେଇଥିଲେ । ଏହା ପରଠୁ ଆମେ ଆମ୍ବ ଚାଷ କରୁଛୁ l ଆଉ ଏଥିରେ ଆମେ ଭଲ ଲାଭ ପାଉଛୁ l”ଅନ୍ୟପଟେ ଜିଲ୍ଲା ପ୍ରଶାସନର ORMAS ଏହି ଚାଷୀଙ୍କୁ ବହୁତ ସହାୟତା କରି ଆସୁଛି l ORMASର ଜଏଣ୍ଟ ସିଈଓ ଶ୍ରୀମନ୍ତ ହୋତା କହିଛନ୍ତି ଯେ ଆମ ଜିଲ୍ଲାର ଚାଷୀଙ୍କ ଆମ୍ବ ଦିଲ୍ଲୀର ମଦର ଡାଏରୀକୁ ବିଗତ କିଛି ବର୍ଷ ହେଲା ଯାଉଛି l ତେବେ ଗତବର୍ଷ ଆମ ଆମ୍ବ ଦୁବାଇ ଓ ଲଣ୍ଡନ ଯାଇଥିଲା l ଚଳିତ ବର୍ଷ ପ୍ରଥମେ ଦିଲ୍ଲୀକୁ ବାମରା ଓ କୁଚିଣ୍ଡା ଅଞ୍ଚଳର ଆମ୍ବ ଦିଲ୍ଲୀକୁ ପଠାଯିବ, ପରେ ଅନ୍ୟ ବ୍ଲକର ଆମ୍ବ ପର୍ଯ୍ୟାୟ କ୍ରମରେ ପଠାଯିବ l ଏହି ସବୁ ଦିଲ୍ଲୀକୁ ଟ୍ରେନରେ ପଠାଯିବ l ପରବର୍ତ୍ତୀ ସମୟରେ ଦୁବାଇ, ଲଣ୍ଡନ ଓ ଇଟାଲୀ ଆଦି ଦେଶଙ୍କୁ ଆମ୍ବ ରପ୍ତାନି କରାଯିବ l ଏଥିପାଇଁ ଆପେଡା (APEDA ) ଜରିଆରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ସଂସ୍ଥା ସହ ଜିଲ୍ଲା ପ୍ରଶାସନ ର ଆଲୋଚନା ଜାରି ରହିଛି l ଆପେଡା ସଂସ୍ଥା ସହ ପୂର୍ବରୁ ଅମର ଏକ କର୍ମଶାଳା ଆୟୋଜନ କରିବା ସହ ଚାଷୀଙ୍କୁ ତାଲିମ ଦେଇଛୁ l ଏଥର ପାଖାପାଖି 76 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ତ ହୋତା l
