Odia News Portal

ଶିମିଳିପାଳରୁ କଳାବାଘ ଛାଲ ଜବତ ଘଟଣାରେ ୯ ଗିରଫ

ଶିମିଳିପାଳରୁ କଳାବାଘ ଛାଲ ଜବତ ଘଟଣାରେ ୯ ଗିରଫ ।  ଅନ୍ୟ ଅଭିଯୁକ୍ତଙ୍କର ସମ୍ପୃକ୍ତି ଥିବା କହିଛନ୍ତି RCCF ପ୍ରକାଶ ଗୋଗିନେନୀ ।  ଗତକାଲି ଦିନ ତମାମ ଚଢାଉ କରି ୯ଜଣଙ୍କୁ ଗିରଫ କରିଛି ବନବିଭାଗ ।  ଜବତ ହୋଇଥିବା କଳା ବାଘ ଛାଲଟି ୨ବର୍ଷ ବୟସର ବାଘର ବୋଲି ଅନୁମାନ କରାଯାଉଛି ।  ତେବେ କେଉଁ ସ୍ଥାନରୁ ବାଘକୁ ଶିକାର କରାଯାଇଛି ସାଇଣ୍ଟିଫିକ୍ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି RCCF କହିଛନ୍ତି ।ମୟୂରଭଞ୍ଜରେ କଳା ବାଘ ଚମଡ଼ା ଜବତ । ବିଶ୍ୱର ଦୁର୍ଲଭ ପ୍ରଜାତିର ଶିକାରକୁ ନେଇ ବଢ଼ୁଛି ଚିନ୍ତା ।  ବିରଳ କଳା ମହାବଳ ବାଘ କେବଳ ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି ।  ଜେନେଟିକ୍ ପରିବର୍ତ୍ତନ ଯୋଗୁଁ ଏହି ବାଘଙ୍କ ଦେହରେ କଳା ପଟା ଦାଗ ଗୁଡ଼ିକ ଏତେ ମୋଟା ଯେ ସେମାନେ କଳା ଦେଖାଯାନ୍ତି ।  ଶିକାରୀମାନେ ଏହାକୁ ଶିମିଳିପାଳରୁ ଶିକାର କରି ବିକ୍ରି କରିବାକୁ ଯୋଜନା କରୁଥିବା ସନ୍ଦେହ କରାଯାଉଛି ।  ଅତ୍ୟନ୍ତ ଦୁର୍ଲଭ ଓ ସ୍ୱତନ୍ତ୍ର  କଳା ମହାବଳ ବାଘ ସାରା ବିଶ୍ୱରେ କେବଳ ଶିମିଳିପାଳରେ ହିଁ ମୁକ୍ତ ଭାବେ ବୁଲୁଥିବାର ଦେଖାଯାନ୍ତି ।ଏମାନେ ଅନ୍ୟ କୌଣସି ଜଙ୍ଗଲରେ ନାହାନ୍ତି ।  ଗୋଟିଏ ବାଘର ମୃତ୍ୟୁ ହେବା ମାନେ ବିଶ୍ୱରୁ ଏହି ଦୁର୍ଲଭ ପ୍ରଜାତିର ସଂଖ୍ୟା କମିଯିବା ।  ବିଭିନ୍ନ ଗଣନା ଅନୁଯାୟୀ, ଶିମିଳିପାଳରେ ମାତ୍ର ୧୩ ରୁ ୨୦ଟି କଳା ବାଘ ଅଛନ୍ତି ।  ଏତେ କମ୍ ସଂଖ୍ୟା ମଧ୍ୟରୁ ଗୋଟିଏ ବି ବାଘ ଶିକାର ହେବା ସେମାନଙ୍କ ବଂଶ ନିପାତ ହେବାର ଆଶଙ୍କା ବଢ଼ାଇଦିଏ ।  ଶିମିଳିପାଳରେ ବାଘ ବଂଶ ବଢ଼ାଇବା ପାଇଁ ସରକାର ଅନ୍ୟ ରାଜ୍ୟରୁ ବାଘ ଆଣିବା ଭଳି କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ।ଶିକାରୀଙ୍କ ଏଭଳି କାର୍ଯ୍ୟ ସମସ୍ତ ସରକାରୀ ଓ ବୈଜ୍ଞାନିକ ପ୍ରୟାସକୁ ପଛକୁ ଠେଲି ଦେଉଛି ।  କଳା ବାଘର ଚମଡ଼ା ଓ ନଖର ଚୋରା ବଜାରରେ ପ୍ରବଳ ଚାହିଦା ଥିବାରୁ ଶିକାରୀମାନେ ଏହାକୁ ଟାର୍ଗେଟ୍ କରୁଛନ୍ତି ।  ଏହା ସଂଗଠିତ ଶିକାରୀ ଗୋଷ୍ଠୀଙ୍କୁ ଅଧିକ ସକ୍ରିୟ କରିବାର ଭୟ ରହିଛି ।  ଶିମିଳିପାଳ ଭଳି କଡ଼ା ପହରା ଏବଂ AI କ୍ୟାମେରା ଲାଗିଥିବା ଜଙ୍ଗଲରୁ ବାଘ ଶିକାର ହେବା ବନ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ଥିବା ଦୁର୍ବଳତାକୁ ଦର୍ଶାଉଛି ।