Odia News Portal

ଟମାଟୋ ଅଭାବୀ ବିକ୍ରି ଦୂର ପାଇଁ ଭାରତ ମସଲାର ପଦକ୍ଷେପ: ୫୦୦ ମେଟ୍ରିକ୍‌ ଟନ୍‌ ବିଲାତି ସଂଗ୍ରହ

ଭାରତ ମସଲା କମ୍ପାନି ଟମାଟୋର ଅଭାବୀ ବିକ୍ରିକୁ ଏଡ଼ାଇବା ପାଇଁ ବଡ଼ ପଦକ୍ଷେପ ନେଇଛି। ଟମାଟୋ ମୂଲ୍ୟରେ ହ୍ରାସ ଏବଂ ବିକ୍ରି ହୋଇପାରୁ ନ ଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଓରମାସ୍‌ ସହାୟତାରେ ଟମାଟୋ କ୍ରୟ ପାଇଁ କମ୍ପାନି ନିଷ୍ପତ୍ତି ନେଇଛି। ଏହା ସହିତ ଦଲାଲଙ୍କ ପ୍ରଭାବରୁ ଚାଷୀଙ୍କୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଭାରତ ମସଲା କମ୍ପାନି ଚାଷୀଙ୍କଠାରୁ ସିଧାସଳଖ ବିଲାତି କ୍ରୟ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଗଞ୍ଜାମ, କଟକ ଓ ଝାରସୁଗୁଡ଼ା ଭଳି ଜିଲ୍ଲାରୁ ଭାରତ ମସଲା କମ୍ପାନି ଏସ୍‌ଏଚ୍‌ଜି ମାଧ୍ୟମରେ ଟମାଟୋ କିଣିଛି।ଏ ପ୍ରସଙ୍ଗରେ କଟକସ୍ଥିତ ଭାରତ ମସଲା କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡାଙ୍କ ପୌରୋହିତ୍ୱରେ ଏକ ବୈଠକ ହୋଇଥିଲା। ବୈଠକରେ ଓର୍‌ମାସ କଟକର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ରାଉତ ଯୋଗ ଦେଇଥିଲେ। ଏହି ପଦକ୍ଷେପ ଦ୍ୱାରା ଚାଷୀମାନେ ବଜାର ଦର ତୁଳନାରେ ପ୍ରାୟ ୩୫ ପ୍ରତିଶତ ଅଧିକ ଲାଭ କମ୍ପାନିଠାରୁ ପାଇପାରିବେ। ବର୍ତ୍ତମାନ ସୁଦ୍ଧା କଟକର ଆଠଗଡ଼ ଓ ବଡ଼ମ୍ୱା କ୍ଲଷ୍ଟରରୁ ୮ ମେଟ୍ରିକ୍ ଟନ୍ ଏବଂ ଗଞ୍ଜାମ ଜିଲ୍ଲାରୁ ୧୯ ମେଟ୍ରିକ୍ ଟନ୍ ଟମାଟୋ କ୍ରୟ କରାଯାଇଛି। ସମ୍ୱଲପୁର, ଝାରସୁଗୁଡ଼ାଦେବଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୫୦୦ ମେଟ୍ରିକ୍ ଟନ୍ ଟମାଟୋ ଓ ସମ୍ୱଲପୁରରୁ ୧୫୦ ମେଟ୍ରିକ୍‌ ଟନ୍‌, ଝାରସୁଗୁଡ଼ାରୁ ୧୫୦ ମେଟ୍ରିକ୍‌ ଟନ୍‌, ଦେବଗଡ଼ରୁ ୧୦୦ ମେଟ୍ରିକ୍‌ ଟନ୍‌, ଗଞ୍ଜାମରୁ ୧୦୦ ମେଟ୍ରିକ୍‌ ଟନ୍‌ ଶୁଖିଲା ଲଙ୍କା କ୍ରୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ ପ୍ରସଙ୍ଗରେ କମ୍ପାନିର ପରିଚାଳନା ନି‌ର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ଯେ ଭାରତ ମସଲା କମ୍ପାନିର କେବଳ ବ୍ୟବସାୟ କରିବା ଲକ୍ଷ୍ୟ ନୁହେଁ। ରାଜ୍ୟର ଚାଷୀ ବଜାରରେ କିଭଳି ସେମାନଙ୍କର ଉତ୍ପାଦକୁ ସହଜରେ ଉପଲବ୍ଧ କରାଇପାରିବେ ଏବଂ ବଜାରକୁ ସୁହାଇଲା ଭଳି ଉନ୍ନତମାନର କୃଷିଜାତ ଦ୍ରବ୍ୟ ପଠାଇ ପାରିବେ ସେଥି ପ୍ରତି କମ୍ପାନି ଧ୍ୟାନ ଦେବ। ଆଗାମୀ ବର୍ଷରେ ଚାଷୀମାନଙ୍କୁ ଉନ୍ନତମାନର ବିହନ ଯୋଗାଇ ଉତ୍ପାଦିତ କୃଷି ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟ ଦେଇ ସିଧାସଳଖ କିଣିବ। ବର୍ତ୍ତମାନ ଟମାଟୋ ମହଜୁଦ ରଖିଥିବା ଚାଷୀମାନେ ସିଧାସଳଖ ଭାରତ ମସଲା କମ୍ପାନି ସହ ଯୋଗାଯୋଗ କରି ସାମଗ୍ରୀ ଦେଇପାରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।