ଭୁବନେଶ୍ବରରେ ମେଟ୍ରୋ ରେଳ ପ୍ରକଳ୍ପରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଏହା ଆଶାଜନକ ଲାଭ ଦେବନି, ଆଶାନୁରୂପ ଯାତ୍ରୀ ହେବେନି କହି ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହି ପ୍ରକଳ୍ପ ନେଇ ଦିଲ୍ଲୀ ମେଟ୍ରୋ ରେଲ୍ ନିଗମ ସହ ହୋଇଥିବା ଚୁକ୍ତିକୁ ବାତିଲ୍ କରି ଦିଆଯାଇଛି । ମେଟ୍ରୋ ରେଳ ପ୍ରକଳ୍ପ ନେଇ ସ୍ବତନ୍ତ୍ର ଭାବେ ଗଠିତ ଭୁବନେଶ୍ବର ମେଟ୍ରୋ ରେଳ ନିଗମକୁ ନୋଡାଲ୍ ଏଜେନ୍ସି ନିଯୁକ୍ତ କରାଯାଇଛି । ଇଣ୍ଟର ମିନିଷ୍ଟ୍ରିଆଲ କମିଟି(ଆଇଏମ୍ ସି) ସୁପାରିସକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ରାଜ୍ୟ ସରକାର କହିଛନ୍ତି । ପ୍ରତି ବଦଳରେ ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଆର୍ଥିକ କ୍ଷେତ୍ର(ଇକୋନୋମିକ୍ କରିଡର୍ ) ଉପରେ ଗୁରୁତ୍ବ ଦେଇଛନ୍ତି। ଏସିଆନ୍ ଡେଭ୍ ଲପ୍ ମେଣ୍ଟ ବ୍ୟାଙ୍କ(ଏଡିବି)କୁ ଏ ଦିଗରେ ବୈଷୟିକ ସହାୟତା ଦେବା ପାଇଁ ନିଯୁକ୍ତି ଦିଆଯାଇଛି ।କିନ୍ତୁ ୨୦୨୫ ଡିସେମ୍ବର ପୂର୍ବରୁ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ନେଇ ହୋଇଥିବା ୨୭୩.୫୧ କୋଟି ଟଙ୍କାର ଖର୍ଚ୍ଚକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ବିଜେଡି ସରକାର ଅମଳରେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିମି ରାସ୍ତାରେ ମେଟ୍ରୋ ଗଡ଼ିବ ବୋଲି ଘୋଷଣା ହୋଇଥିଲା । ବିଭିନ୍ନ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ଆବଣ୍ଟନ ହୋଇଥିଲା । ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏଲିଭେଟେଡ୍ କରିଡର ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିଜାଇନ୍ ପ୍ରସ୍ତୁତି, ନିର୍ମାଣ ତଦାରଖ କାର୍ଯ୍ୟ ନେଇଥିଲା। ଏହାର ଟେଣ୍ଡର ମଧ୍ୟ ଆହ୍ବାନ କରିଥିଲା ।
