ମଣ୍ଡି ଖୋଲିବା ଆଗରୁ ମାତିଲେଣି ଦଲାଲ: ଓଡ଼ିଶାରେ ଝାଡ଼ଖଣ୍ଡ ଧାନ, ଗୋଦାମରେ ଗଦେଇଲେଣି By Swadhikar News Last updated Dec 10, 2025 ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବ୍ଲକ ଅଧୀନସ୍ଥ ଲ୍ୟାମ୍ପସ୍ଗୁଡ଼ିକରେ ଆସନ୍ତା ୨୦ ପରେ ଖୋଲିବାକୁ ଯାଉଛି ମଣ୍ଡି। ପଞ୍ଜିକୃତ ଚାଷୀଙ୍କୁ ଆସନ୍ତା ୩/୪ ଦିନ ପରେ ଧାନ ବିକ୍ରି ପାଇଁ ମଳିବ ଟୋକନ୍। ବିଶୃଙ୍ଖଳା ସୃଷ୍ଟି ନ ହେବା ସହ ଚାଷୀମାନେ କେମିତି ଠିକ୍ ଭାବେ ଟୋକନ୍ ପାଇ ନିଜର ଧାନ ମଣ୍ଡିରେ ବିକି ପାରିବେ ସେଥିପାଇଁ ତଦାରଖ କରିବେ ଜଣେ ଲେଖାଏଁ ମନ୍ତ୍ରୀ। ତେବେ, ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ବେ ପ୍ରତିବର୍ଷ ପରି ଏଥର ବି ଟୋକନ ମିଳିବା ପୂର୍ବରୁ ମାତିଲେଣି ଦଲାଲ। ଚାଷୀଙ୍କ ଜରିଆରେ ଧାନ ବିକିବାକୁ ନିଜନିଜ ଗୋଦାମରେ ଗଦା କଲେଣି ଝାଡ଼ଖଣ୍ଡ ଧାନ। କିଛି ଦଲାଲ ରାଇସ୍ ମିଲ୍ରେ ମଧ୍ୟ ଗଚ୍ଛିତ କରି ରଖିଲେଣି।ଝାଡ଼ଖଣ୍ଡର ହୁର୍ଦ୍ଦା, ମନୋହରପୁର, ଓଡଗାଁ, ପାନିଆସାଲ୍,ବାଉଁଶଜୋର ଏମିତି ସୀମାନ୍ତକୁ ଅନେକ ବଜାର ଓ ଗାଁର ଆଦିବାସୀ ଚାଷୀଙ୍କୁ ଲୋଭ ଦେଖାଇ ଦଲାଲମାନେ ଧାନ କିଣି ଆଣୁଛନ୍ତି। ତା’ ପୁଣି ୨ ହଜାରରୁ ୨୨୦୦ ଟଙ୍କାରେ। ଦଲାଲ ଧରା ନପଡ଼ିବାକୁ ଟ୍ରକ୍ ପରିବର୍ତ୍ତେ ବ୍ୟବହାର କରୁଛନ୍ତି ପିକ୍ଅପ୍। ଓଡ଼ିଶାକୁ ସଂଯୋଗ କରୁଥିବା ସିଧାରାସ୍ତାରେ ନ ଆସି ଗଳାବାଟ ଦେଇ ବିଶ୍ରା, ନୂଆଗାଁ, ହାତୀବାରି, ସୋରଡ଼ା, ବଡ଼ାଜୋଜୋଦା, ଖୁଣ୍ଟଗାଁ, ବାରିବେଡ଼ା, କୁଆରମୁଣ୍ଡାରେ ଝାଡ଼ଖଣ୍ଡର ଧାନ ପହଞ୍ଚୁଛି। ଟାଟା ଏସିରେ ଧାନ ଆସୁଥିବାରୁ ଯୋଗାଣ ବିଭାଗ କିମ୍ବା ଲ୍ୟାମ୍ପସ କର୍ମଚାରୀ ସହଜରେ ଜାଣିପାରୁନାହାନ୍ତି। ବିଳମ୍ବିତ ରାତିରେ ଓ ଭୋର୍ ସମୟରେ ଟାଟା ଏସିରେ ଶହଶହ କ୍ବିଣ୍ଟାଲ ଝାଡ଼ଖଣ୍ଡରୁ ଓଡ଼ିଶା ଭିତରକୁ ଆସି ସିଧାସଳଖ ରାଇସ୍ ମିଲ୍ ଓ ଦଲାଲଙ୍କ ଗୋଦାମରେ ପଶୁଛି। ଗତବର୍ଷ ଓଡ଼ିଶାର ଧାନ କ୍ବିଣ୍ଟାଲର ସର୍ବନମ୍ନ ସହାୟକ ଦାମ୍ ୩୧୦୦ ଟଙ୍କା ରହିଥିଲା। ଏଥର କ୍ବିଣ୍ଟାଲ ପିଛା ୩୧୬୯ ଟଙ୍କାରେ ସରକାର ଧାନ କିଣିବାକୁ ଯାଉଛନ୍ତି। ଦଲାଲମାନେ ଝାଡ଼ଖଣ୍ଡର ଲୋକାଲ ବଜାର ଓ ଚାଷୀଙ୍କ ଘରୁ ସିଧାସଳଖ କ୍ବିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଉଠାଇ ଓଡ଼ିଶା ମଣ୍ଡିରେ ୩୧୬୯ ଟଙ୍କାରେ ଅର୍ଥାତ୍ କ୍ବିଣ୍ଟାଲ ପିଛା ୧ ହଜାର ଟଙ୍କା ଲାଭରେ ବିକିବାକୁ ଯୋଜନା କରିଛନ୍ତି। ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଓ ଲାଠିକଟା ଆଦି ବ୍ଲକରେ ଚାଷୀମାନେ ଗୋଟିଏ ଟୋକନ୍ରେ ୧୦ରୁ ୫୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକୁଥିବା ଦଲାଲମାନେ ଭଲ ଭାବେ ଜାଣିଛନ୍ତି।ଏମିତି ଶହଶହ ଚାଷୀ ଅଛନ୍ତି ଯେଉଁମାନେ ୨୦ରୁ ୩୦ କ୍ବିଣ୍ଟାଲ ଧାନ ବିକିବାକୁ ଟୋକନ୍ ପାଇବେ। ସେହି ଚାଷୀମାନଙ୍କୁ ଦଲାଲମାନେ ଟାର୍ଗେଟ କରିଛନ୍ତି। ସେମାନଙ୍କ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା କମିସନ୍ ଦେବାର ଲୋଭ ଦେଖାଇ ସେମାନଙ୍କ ଜରିଆରେ ଝାଡ଼ଖଣ୍ଡ ଧାନକୁ ବିକି ଆସୁଛନ୍ତି। ଏଥର କିଛି ଓଡ଼ିଶା ଓ ଝାଡ଼ଖଣ୍ଡ ଦଲାଲ ମିଶି ପୂର୍ବବର୍ଷ ପରି ସମାନ ପନ୍ଥା ଆପଣେଇଛନ୍ତି। ଚାରିଟି ବ୍ଲକରେ ଯେଉଁମାନଙ୍କର କମ୍ ଧାନ ଅଛି, ସେମାନଙ୍କର ତାଲିକା ପ୍ରସ୍ତୁତ କରିସାରିଛନ୍ତି। ଟୋକନ୍ ମିଳିବା ପୂର୍ବରୁ ସେମାନଙ୍କୁ କିଛି କିଛି ଅଗ୍ରିମ ମଧ୍ୟ ଦେଇ ସାରିଲେଣି।ଗତବର୍ଷ ଯୋଗାଣ ବିଭାଗ ସୀମାନ୍ତ ବ୍ଲକର କିଛି ରାଇସ୍ ମିଲ୍ ଓ ଦଲାଲଙ୍କ ଗୋଦାମରେ ଚଢ଼ଉ କରି ବିପୁଳ ପରିମାଣରେ ଧାନ ଜବତ କରିଥିଲେ। ମଣ୍ଡି ଖୋଲିବା ପୂର୍ବରୁ ଯୋଗାଣ ବିଭାଗ ରାଇସ୍ ମିଲ୍ ଓ ଦଲାଲଙ୍କ ଗୋଦାମରେ ଚଢ଼ଉ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏମିତିି ନ ହେଲେ କିଛି ଚାଷୀ ଟୋକନ୍ ପାଇଥିଲେ ହେଁ ସେମାନଙ୍କ ସବୁତକ ଧାନ ବିକିପାରିବେ ନାହିଁ। swadhikarswadhikar news Share