Odia News Portal

ଟିକା ଯୋଗାଣ ସମ୍ପର୍କୀତ ଆଗୁଆ ସୂଚନା ଦେଉଛନ୍ତି କେନ୍ଦ୍ର ସରକାର

 ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କୀତ ତଥ୍ୟ ଆଗୁଆ ଦେଇଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ ପରିଚାଳନା ପାଇଁ ଯୋଜନା କରି ଏହାର ପ୍ରଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି । ଟିକାଦାନ କେନ୍ଦ୍ରଗୁଡିକ ଭିଡ ନ ହେବା ପାଇଁ ଟିକାଦାନ ବ୍ୟବସ୍ଥା ନିର୍ଘଣ୍ଟ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଚଳିତ ମେ’ ମାସ ପହିଲାଠାରୁ ଜାତୀୟସ୍ତରରେ କୋଭିଡ-୧୯ ଟିକାକରଣ ଏବଂ ଏହାର ସୁଲଭ ମୂଲ୍ୟ ସମ୍ପର୍କୀତ ନୀତି ନିର୍ଦ୍ଧାରଣ କରାଯାଇଛି । ଏହି ନୀତି ଅନୁଯାୟୀ ସମସ୍ତ କେନ୍ଦ୍ରୀୟ ଔଷଧ ଲାବରେଟରୀ ପ୍ରସ୍ତୁତ କରିଥିବା ଟିକାର ୫୦ଶତାଂଶ କେନ୍ଦ୍ର ସରକାର ଅଧିଗ୍ରହଣ କରିବେ । ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୂର୍ବଭଳି ବିନା ମୂଲ୍ୟରେ ଦେବେ । ଏଥି ସହିତ ଅନ୍ୟ ୫୦ଶତାଂଶକୁ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଗୁଡିକର କିଣିବା ପାଇଁ ରଖାଯିବ । ଏ ସମ୍ପର୍କୀତ ଆଗୁଆ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୫ଦିନ ବ୍ୟବଧାନରେ ମାସକୁ ଦୁଇଥର ଦିଆଯିବ । ରାଜ୍ୟ ଓ ବିଭିନ୍ନ ଜିଲ୍ଲାର କୋଭିଡ-୧୯ ପରିଚାଳନାରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଗତକାଲି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି ।

ମେ’ ମାସ ଶେଷ ପର୍ଯ୍ୟନ୍ତ ଏବଂ ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିସିଲ୍ଡ ଓ କୋଭାକ୍‌ସିନ୍‌ର ନିଶୁଳ୍କ ଯୋଗାଣ ସମ୍ପର୍କୀତ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଠାଇ ଦେଇଛି । ଆହୁରିମଧ୍ୟ ମେ’ ଏବଂ ଜୁନ ମାସ ନିମନ୍ତେ କିଣିବା ପାଇଁ ଟିକା ସମ୍ପର୍କୀତ ତଥ୍ୟ ମଧ୍ୟ ଜଣାଇ ଦିଆଯାଇଛି । ଏହାଦ୍ୱାରା ଟିକାଦାନ ପ୍ରକ୍ରିୟାକୁ ପ୍ରଭାବଶାଳୀ ଓ ନିୟନ୍ତ୍ରିତ କରାଯାଇପାରିବ ।

ମେ’ ପହିଲଠାରୁ ଜୁନ ଶେଷ ପର୍ଯ୍ୟନ୍ତ ଅବଧି ପାଇଁ ୪କୋଟି ୮୭ଲକ୍ଷ ୫୫ହଜାର ଡୋଜ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଯୋଗାଇବା ପାଇଁ ଟିକା ପ୍ରସ୍ତୁତକାରୀମାନେ ଜଣାଇଦେଇଛନ୍ତି । ଟିକାର ଯଥାଯଥ ଉପଯୋଗ ପାଇଁ ମଧ୍ୟ କେତେକ ନିର୍ଦ୍ଦେଶାବଳୀ ଦିଆଯାଇଛି । ଏଥିରେ ଜିଲ୍ଲାସ୍ତରରେ କୋଭିଡ ଟିକାକେନ୍ଦ୍ର ପ୍ରସ୍ତୁତି ଏବଂ ଟିକାଦାନ ସମ୍ପର୍କୀତ ନୀତି ନିର୍ଦ୍ଧାରଣ କରିବାକୁ କୁହାଯାଇଛି ।

ଏ ସମ୍ପର୍କୀତ ତଥ୍ୟକୁ ବିଭିନ୍ନ ଗଣମାଧ୍ୟମକୁ ଜଣାଇବା, କୋୱିନ ଡିଜିଟାଲ ପ୍ଲାଟଫର୍ମରେ ଏବଂ ସରକାରୀ ଟିକାଦାନ କେନ୍ଦ୍ରର ତଥ୍ୟ ସହ ଟିକାଦାନ ନିର୍ଘଣ୍ଟକୁ ସ୍ଥାନିତ କରିବା, ଟିକାଦାନ କ୍ଷେତ୍ରରେ ଗହଳି ନ ହେବା ଭଳି ପଦକ୍ଷେପ ନେବା, ଟିକା ନେବା ପାଇଁ ବୁକିଂ କରିବା କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରିବା ଆଦି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଟିକାକରଣ ନେଇ ନିୟମିତଭାବେ କେନ୍ଦ୍ର ସରକାର ଉଚ୍ଚସ୍ତରରେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି ।