Odia News Portal

ମାଟିପାତ୍ରର ଚାହିଦା କମୁଛି,ବେଉଷା ବଞ୍ଚାଇ ରଖିବା ଚିନ୍ତାରେ କୁମ୍ଭକାର ପରିବାର

ଆଉ ମାତ୍ର ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଏନେଇ ଚଳଚଞ୍ଚଳ ହୋଇ ଉଠିଲାଣି କୁମ୍ଭାରସାହି । ପିଲା ଠାରୁ ବୁଢା ଏପରିକି କୁମ୍ଭକାର ପରିବାରର ସମସ୍ତେ ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି । ହାତରେ ଚକ ବୁଲାଇ ଗଢି ଚାଲିଛନ୍ତି ଭଳି କି ଭଳି ଆକର୍ଷଣୀୟ ମାଟି ତିଆରି ସାମଗ୍ରୀ । କୁମ୍ଭକାରମାନଙ୍କ କଳାକୌଶଳ ଓ କଠିନ ପରିଶ୍ରମ ଦ୍ବାରା ଗାଁଠୁ ସହର ପର୍ଯ୍ୟନ୍ତ ଚାରିଆଡେ ଆଲୋକିତ ହୋଇଥାଏ । ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ପ୍ରଭାବିତ ହୋଇଛି କୁମ୍ଭକାରମାନଙ୍କ ଜୀବନ ଜୀବିକା । ଗୋଟିଏ ପଟେ ମାଟି ଓ ଜାଳେଣୀ କାଠର ଅଭାବ ଥିବା ବେଳେ ଅନ୍ୟପଟେ ବଜାରରେ ପ୍ଲାଷ୍ଟିକ ଏବଂ ଚାଇନା ସାମଗ୍ରୀର ପ୍ରବେଶ ଯୋଗୁଁ ମାଟି ତିଆରି ସାମଗ୍ରୀର ଚାହିଦା ମଧ୍ୟ ଦିନକୁ ଦିନ କମିବାରେ ଲାଗିଛି । ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ ସହ ନିଜ କୁଳ ବେଉଷା କେମିତି ବଞ୍ଚାଇ ରଖିବେ ସେନେଇ ଚିନ୍ତାରେ ଅଛନ୍ତି କୁମ୍ଭକାର ପରିବାର ।

ବାଲେଶ୍ବର  ଜିଲ୍ଲା ବାଲିଆପାଳ  ବ୍ଲକ ଅନ୍ତର୍ଗତ ଇନ୍ଦପଡା ଗାଁରେ ବସବାସ କରୁଛନ୍ତି ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କୁମ୍ଭକାର ପରିବାର । ମାଟିରେ ତିଆରି ହାଣ୍ତି, ସରା, ଠେକି, କଳସ, ଦୀପ ଓ କଣ୍ଢେଇ  ଇତ୍ୟାଦି  ବିଭିନ୍ନ ପ୍ରକାର ଘରୋଇ ଉପକରଣ ତିଆରି କରି ତାକୁ ବଜାରରେ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି ଏମାନେ । ତେବେ ବର୍ଷ ତମାମ କଷ୍ଟେ ମଷ୍ଟେ ଚଳି ଯାଉଥିବା ବେଳେ ଚାହିଁ ବସିଥାନ୍ତି ଦୀପାବଳିକୁ ଭଲ ଦି ପଇସା ରୋଜଗାର ଆଶାରେ । ମାତ୍ର ବଜାରରେ ପ୍ଲାଷ୍ଟିକ ଏବଂ ଚାଇନା ଜିନିଷର ପ୍ରବେଶ ଯୋଗୁଁ ଏବେ ମାଟିରେ ନିର୍ମିତ ସାମଗ୍ରୀର ଚାହିଦା ଏକ ପ୍ରକାର କମିଯାଇଛି । ଫଳରେ ତିଆରି ହୋଇଥିବା ସାମଗ୍ରୀ ସବୁ ସେମିତି ଗଦା ହୋଇ ପଡ଼ି ରହିଛି । ରୋଜଗାର ବନ୍ଦ ହୋଇଯିବାରୁ ଘରେ ଦିନକୁ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ହୋଇ ପଡ଼ିଛି ।

ଏମାନଙ୍କ ହାତ ତିଆରି ଜିନିଷର ବେଶ ଚାହିଦା ରହିଥିଲେ ମଧ୍ୟ ପରିଶ୍ରମ ତୁଳନାରେ ରୋଜଗାର ହେଉ ନଥିବାରୁ ଏମାନେ ବହୁ କଷ୍ଟରେ ଚଳୁଛନ୍ତି । କାରିଗରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ବକର୍ମା ଯୋଜନା ଲାଗୁ କରାଯାଇଥିଲେ ମଧ୍ୟ ଏହି କୁମ୍ଭକାରମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । ପ୍ଲାଷ୍ଟିକ୍ ଦୀପର ଅଧିକ ଚାହିଦା ରହିଥିବାରୁ ଘରେ ତିଆରି ହୋଇ ପଡିରହିଛି ହଜାର ହଜାର ଟଙ୍କାର ମାଟି ତିଆରି ସାମଗ୍ରୀ । ଅନ୍ୟ କୌଣସି ରୋଜଗାରର ପନ୍ଥା ନଥିବାରୁ ଅର୍ଥାଭାବ ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି କୁମ୍ଭକାର ପରିବାର ।

ଯଦି ସରକାର କୁମ୍ଭକାରମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆର୍ଥିକ ସାହାଯ୍ୟ ପ୍ରଦାନ କରନ୍ତେ ତେବେ ଏମାନେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ।