ଜଳେଶ୍ଵର ଥାନା ଅଧୀନସ୍ଥ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରୁ ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଆସୁଥିବା ୩ଟି ଧାନ ଟ୍ରକକୁ ଯାଞ୍ଚ ଦାୟିତ୍ଵରେ ଥିବା ଏନଫୋର୍ସମେଣ୍ଟ ଜବତ କରିଛି। ଏହି ୩ ଟ୍ରକ୍ ରେ ୧୮ ଶହ ବ୍ୟାଗ ଧାନ ଯାହାର ଓଜନ ୯ ଶହ କ୍ୟୁଣ୍ଟାଲ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୧ ଟା ସମୟରେ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଯୋଗାଣ ବିଭାଗ ଦ୍ବାରା ନିୟୋଜିତ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ୩ଟି ମାଲ ବୋଝେଇ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ପ୍ରବେଶ କରୁଥିଲା।ଏନଫୋର୍ସମେଣ୍ଟ ଟିମ୍ ର ସନ୍ଦେହ ହେବାରୁ ଟ୍ରକ୍ ୩ ଟିକୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ୩ ଟି ଟ୍ରକ ରେ ସମୁଦାୟ ୧୮୦୦ ବ୍ୟାଗ ଧାନ ଥିବାବେଳେ ଏହାର ଓଜନ ୯ ଶହ କ୍ୟୁଣ୍ଟାଲ ବୋଲି ଜଣାପଡିଥିଲା।
