ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ଏବେ କଳାହାଣ୍ଡି ଜିଲ୍ଲାର ଚାଷ ଜମିରେ ପଡିଛି । ଡିଜେଲ ଅଭାବରୁ ଅଟକି ରହିଛି ଧାନ କଟା ମେସିନ । ତୈଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଜିଲ୍ଲା ପ୍ରଶାସନ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜାର୍ ବା ଖୋଲା ପାତ୍ରରେ ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛି । ଅନ୍ୟପଟେ ଦାଦନ ସମସ୍ୟା ଯୋଗୁଁ ଗାଁ ଏବେ ଶ୍ରମିକଶୂନ୍ୟ । ଫଳରେ ସରକାରୀ ମଣ୍ଡି ଖୋଲିଥିଲେ ମଧ୍ୟ ଧାନ କାଟା ନହୋଇ ପାରି ଖେତରେ ହିଁ ନଷ୍ଟ ହେବାକୁ ବସିଛି ରବି ଧାନ ।କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଖେତ ସାରା ସୁନାର ଫସଲ ହସୁଛି, କିନ୍ତୁ ଚାଷୀଙ୍କ ମୁହଁରେ ହସ ନାହିଁ, ଅଛି କେବଳ ଆଶଙ୍କା ଆଉ କୋହ । କାରଣ ଅମଳର ଏହି ଶେଷ ମୁହୂର୍ତ୍ତରେ ଚାଷୀ ସାମ୍ନାରେ ମହାସଙ୍କଟ ଛିଡ଼ା ହୋଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଡିଜେଲ ଯୋଗାଣ ବ୍ୟାହତ ହୋଇଛି, ଆଉ ତାର ସିଧାସଳଖ ପ୍ରଭାବ ଏବେ ଗାଁ ମାଟିର ଚାଷ ଉପରେ ପଡ଼ିଛି । ଡିଜେଲ ସଙ୍କଟ ଯୋଗୁଁ ଧାନ କଟା ମେସିନ୍ ବନ୍ଦ ପଡ଼ିଛି । ଅନେକ ସ୍ଥାନରେ ହାରଭେଷ୍ଟର ଓ ଟ୍ରାକ୍ଟର ଅଚଳ ହୋଇ ଖେତ ମଝିରେ ଛିଡ଼ା ହୋଇଛି । ଯଥାସମୟରେ ଧାନ ଅମଳ ହୋଇପାରୁ ନଥିବାରୁ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହେବାରେ ଲାଗିଛି ।ଏନେଇ କଳାହାଣ୍ଡି ଜିଲ୍ଲାର ଧାନ ଚାଷୀ ଏମ୍. ରାମ ବାବୁ କହିଛନ୍ତି, “ଡିଜେଲ୍ ପାଇଁ ବହୁତ ଅସୁବିଧା ହେଉଛି । ଜାର ନେଇକି ଗଲେ ପମ୍ପରେ ତେଲ ଦେଉ ନାହାନ୍ତି, ଗାଡି ନେଇ ଗଲେ ବହୁତ କାମ ଦେଉଛନ୍ତି । ତେଲ ନ ଥିବା କାରଣରୁ ହାରଭେଷ୍ଟର ବଲା ମଧ୍ୟ ଆସୁ ନାହାନ୍ତି । ଏ ପଟେ ମଣ୍ଡି ଖୋଲିଲାଣି, କେବେ ଧାନ କାଟିବୁ ? କେବେ ମଣ୍ଡିକୁ ନେବୁ ? ସେନେଇ ଦ୍ବନ୍ଦ୍ବରେ ଅଛୁ ।”ସେପଟେ ଅନେକ ପମ୍ପରେ ଏବେ ଡିଜେଲ ପାଇଁ ଚାଷୀ ଓ ଗାଡ଼ି ଚାଳକଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ଆସି ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ କେତେକଙ୍କୁ ସୀମିତ ପରିମାଣର ଡିଜେଲ ମିଳୁଛି ତ ଆଉ କେତେକ ଚାଷୀ ନିରାଶ ହୋଇ ଘରକୁ ଫେରୁଛନ୍ତି । ସମସ୍ୟା କେବଳ ଡିଜେଲ ଅଭାବରେ ସୀମିତ ନାହିଁ, ଚାଷୀଙ୍କ ଉପରେ ଦାଉ ସାଧିଛି ତୀବ୍ର ଶ୍ରମିକ ସଙ୍କଟ । ଅଧିକାଂଶ ସକ୍ଷମ ଶ୍ରମିକ ପେଟ ପାଟଣା ପାଇଁ ଆଗରୁ ହିଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପଳାଇଛନ୍ତି । ଫଳରେ ପାରମ୍ପରିକ ଢଙ୍ଗରେ ହାତରେ ଧାନ କାଟିବା ପାଇଁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଶ୍ରମିକ ମିଳୁନାହାନ୍ତି ।
