ଝାରସୁଗୁଡ଼ାରେ ନୂଆ କୋଇଲା ଖଣି By Swadhikar News Last updated Apr 6, 2026 କେନ୍ଦ୍ର କୋଇଲା ମନ୍ତ୍ରାଳୟ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାରେ ଇତିମଧ୍ୟରେ ଆଉ ୩ ନୂଆ କୋଇଲା ଖଣି ଚିହ୍ନଟ କରାଯାଇଛି। ଏଥିରୁ ଗୋଟିଏ ଖଣିର ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ସେହିପରି ବେଲପାହାଡ଼ ଭୂତଳ ଖଣିର ସଂପ୍ରସାରଣ ପ୍ରକଳ୍ପ ଆଉ ଏକ ଖଣି ଭାବେ ବିବେଚିତ ହୋଇଥିବା ବେଳେ ଉକ୍ତ ଖଣି ସମେତ ଜିଲ୍ଲାର ଅନ୍ୟତମ ରୋହିଣୀ ଖଣିର ଆବଣ୍ଟନ ପ୍ରକ୍ରିୟା ଜାରିରହିଛି। ତେବେ, ପ୍ରସ୍ତାବିତ ରୋହିଣୀ ଖଣିରେ ଜିଲ୍ଲାର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନ ପୀଠ କୋଇଲିଘୁଘରର ଅସ୍ତିତ୍ବକୁ ନେଇ ଏବେଠାରୁ ପ୍ରଶ୍ନ ଉଠିଲାଣି। କାରଣ, ଏହି ଖଣିର ମଧ୍ୟ ଭାଗରେ ହିଁ କୋଇଲିଘୁଘର ଥିବା ନେଇ କୋଇଲା ମନ୍ତ୍ରାଳୟ ପକ୍ଷରୁ ଜାରି ନକ୍ସାରୁ ଜଣାପଡ଼ିଛି।ଜିଲ୍ଲାର ଇବ୍ ଭ୍ୟାଲି କୋଇଲା ଉପତ୍ୟକା ଅଧୀନରେ ପୂର୍ବରୁ ରହି ଆସିଥିବା ସମସ୍ତ କୋଇଲା ଖଣି ଏମ୍ସିଏଲ୍ ଦ୍ବାରା ପରିଚାଳିତ ହେଉଛି। ଏଭଳି ସ୍ଥିତିରେ ବର୍ତ୍ତମାନ ଲଖନପୁର ବ୍ଲକ୍ ଅଞ୍ଚଳର ରୋହିଣୀ କୋଇଲା ଖଣିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦିଓ ଏହି ବ୍ଲକ୍ର ଆବଣ୍ଟନ ପ୍ରକ୍ରିୟା ଶେଷ ହୋଇନାହିଁ, ତଥାପି ଏହାର ପରିସୀମାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି। ପ୍ରସ୍ତାବିତ ଏହି କୋଇଲା ଖଣିରେ ଲଖନପୁର ବ୍ଲକ୍ ସମରବଗା ପଞ୍ଚାୟତର ସମରବଗା, କୁରେଇମାଲ, ଝାରଗାଁ, ଦେବଦରହ ଆଦି ଗାଁ ଥିବା ବେଳେ କଦମଡିହି ପଞ୍ଚାୟତ ଅଧୀନ ବେତଝରନର କିଛି ଅଂଶ ସମେତ ପଞ୍ଚଗାଁ ପଞ୍ଚାୟତର ବିଜାପାଲି ଓ ଶୁଖାଡିହି ନିକଟବର୍ତ୍ତୀ ଅଞ୍ଚଳ ସାମିଲ ଥିବା ନକ୍ସାରୁ ଜଣାପଡ଼ିଛି।ଦେବଦରହରୁ ଆରମ୍ଭ କରି ବେତଝରନ ଆଦି ଅଞ୍ଚଳରେ ଅତି ପାଖରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ରହିଥିବା ନେଇ ଦୀର୍ଘ ଦଶନ୍ଧି ତଳୁ ଜଣାପଡ଼ିଛି। ଏପରିକି କୂଅ, ପୋଖରୀ ଖୋଳିବା ବେଳେ ମାତ୍ର ୭ରୁ ୮ ଫୁଟ୍ ତଳେ ଅନେକ ସ୍ଥାନରେ କୋଇଲା ବାହାରୁଥିବାରୁ ମାଫିଆମାନେ ଚାଲାଣ କରି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ରୋହିଣୀ ବ୍ଲକ୍ର ମଧ୍ୟଭାଗରେ ରହିଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳ କୋଇଲିଘୁଘରର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। swadhikarswadhikar news Share