ଓଡ଼ିଶା ଚନ୍ଦନରେ ବାସନା ନାହିଁ: ଚନ୍ଦନ ଗଛ ପାଇଁ ସୁହାଉନି ମାଟି ଓ ଜଳବାୟୁ By Swadhikar News Last updated Feb 9, 2026 ଓଡ଼ିଶା ଚନ୍ଦନ କାଠରେ ବାସ୍ନା ନାହିଁ। ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଜଙ୍ଗଲଗୁଡ଼ିକରେ ଥିବା ଚନ୍ଦନ କାଠରୁ ଯେଉଁଭଳି ବାସ୍ନା ହେଉଛି ତାହା ଓଡ଼ିଶାରେ ଥିବା ଚନ୍ଦନ ଗଛରେ ଉପଲବ୍ଧ ହେଉ ନାହିଁ। ଭଲ ବାସ୍ନା ନ ଥିବାରୁ ତାହାର ବଜାର ମୂଲ୍ୟ ମଧ୍ୟ କମ୍ ରହୁଛି। ଯେତେବେଳେ କି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବହୁ ପୁରୁଣା ଚନ୍ଦନ ଗଛର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେଉଛି ସେତେବେଳେ ଓଡ଼ିଶାର ସେହି ଗଛର ମୂଲ୍ୟ ୩୦ରୁ ୪୦ ଲକ୍ଷ ମଧ୍ୟରେ ରହୁଛି। କେବଳ ସେତିକି ନୁହେଁ, ସୁଗନ୍ଧ ନ ଥିବାରୁ ଚନ୍ଦନ ଗଛ ରୋପଣ ଦିଗରେ ରାଜ୍ୟ ସରକାର ମଧ୍ୟ ସେତେଟା ଆଗ୍ରହ ଦେଖାଉ ନାହାନ୍ତି।ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କରିଥିବା ସର୍ଭେ ଅନୁଯାୟୀ ବାସ୍ନା ରହୁଥିବା ଚନ୍ଦନ ଗଛ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଜିଲ୍ଲାର ଅଧିକାଂଶ ଜଙ୍ଗଲରେ ଚିହ୍ନଟ ହୋଇଛି। ତେବେ ଏଠାକାର ଚନ୍ଦନ ଗଛରୁ ବାହାରୁଥିବା କାଠଗୁଡ଼ିକରେ ବାସ୍ନା ପରିମାଣ ୧% ରହୁଛି, ଯେତେବେଳେ କି ତାମିଲନାଡ଼ୁ ଓ କର୍ଣ୍ଣାଟକ ଚନ୍ଦନରେ ଏହି ପରିମାଣ ୪%ରୁ ଅଧିକ ରହୁଛି। ସେଠାକାର ଜଳବାୟୁ ଓ ମାଟି ଚନ୍ଦନର ବାସ୍ନାକୁ ବହୁ ପରିମାଣରେ ବୃଦ୍ଧି କରୁଛି। ଓଡ଼ିଶାରେ ଚନ୍ଦନ କାହିଁକି ଭଲ ବାସୁନି, ତାହା ଉପରେ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ରକ୍ତ ଚନ୍ଦନ କଥା ଦେଖିଲେ ଏବେ କେବଳ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡରେ ହିଁ ଦୃଶ୍ୟମାନ ହେଉଛି, ଯାହାର ସଂଖ୍ୟା ବହୁତ କମ୍। ବନଖଣ୍ଡର ଲାବଣ୍ୟଗଡ଼ ଜଙ୍ଗଲ ଓ କିଞ୍ଚିଲିଙ୍ଗି ବିଟ୍ରେ ରକ୍ତଚନ୍ଦନ ଗଛ ରହିଛି। ବନଖଣ୍ଡର ଆଉ କିଛି ସ୍ଥାନରେ ବିକ୍ଷିପ୍ତ ଭାବେ ରକ୍ତ ଚନ୍ଦନ ଗଛ ରହିଥିବା କୁହାଯାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆକଳନ କରାଯାଇ ନାହିଁ।ପରିବେଶବିତ୍ଙ୍କ କହିବା କଥା ହେଉଛି ଯେ ଗୋଟିଏ ଚନ୍ଦନ ଗଛର ମୂଲ୍ୟ ତାହାର ବୟସ, କାଠର ପରିମାଣ ଓ ବଜାର ଉପରେ ନିର୍ଭର କରେ। ଭାରତ ଜଙ୍ଗଲରେ ମୁଖ୍ୟତଃ ଦୁଇ ପ୍ରକାରର ଚନ୍ଦନ ଯଥା ଧଳା ଚନ୍ଦନ(ସାଣ୍ଟାଲମ୍ ଆଲବମ୍) ଓ ଲାଲ ଚନ୍ଦନ (ଟେରୋକାର୍ପସ୍ ସାଣ୍ଟାଲିନସ୍) ରହିଛି, ଯାହାର ମୂଲ୍ୟ ଭିନ୍ନ ଭିନ୍ନ। ୮ରୁ ୧୨ ବର୍ଷ ବୟସର ଚନ୍ଦନ ଗଛ କାଠରେ ବାସ୍ନା ଭରିଥାଏ। ତେବେ ଗଛ ଯେତେ ବଡ଼ ହେବ ତାହାର କାଠରେ ସେତେ ବାସ୍ନା ଭରିବା ସହ ବଜାର ମୂଲ୍ୟ ଅଧିକ ରହିବ। ଗୋଟିଏ ୨୦ ବର୍ଷ ବୟସ ଗଛର ମୂଲ୍ୟ ୩ରୁ ୫ ଲକ୍ଷ ଟଙ୍କା ହୋଇପାରେ, ଯେତେବେଳେ କି ପୁରୁଣା ଗଛ ୧ କୋଟିରୁ ଅଧିକ ଟଙ୍କା ହୋଇପାରେ। କାଠ ମୂଲ୍ୟ ପ୍ରାୟତଃ ପ୍ରତି କିଲୋଗ୍ରାମ ପାଇଁ ଧାର୍ଯ୍ୟ ହୋଇଥାଏ। ଗୋଟିଏ ସମୟରେ ଚନ୍ଦନ ବଣ ଓ କାଠକୁ ନେଇ ଦକ୍ଷିଣ ଓଡ଼ିଶାର ଖ୍ୟାତି ଥିଲା। ଜଙ୍ଗଲ ମଧ୍ୟକୁ ପ୍ରବେଶ କରିବା କ୍ଷଣି ଚନ୍ଦନର ବାସ୍ନାରେ ସାରା ପରିବେଶ ମହକି ଉଠୁଥିଲା। ମାତ୍ର କାଠ ମାଫିଆଙ୍କ ସକ୍ରିୟତା ଯୋଗୁ ଚନ୍ଦନ ଗଛ ବିଲୁପ୍ତ ଆଡ଼କୁ ଚାଲିଯାଇଛି। ଏବେ ପ୍ରାୟ ୫୦ ହେକ୍ଟରରେ ଚନ୍ଦନ ବଞ୍ଚିରହିଛି। ନୂଆ ଗଛ ଲଗାଇବାର ଆବଶ୍ୟକତା ରହିଥିବା ସେମାନେ କହିଛନ୍ତି। ପିସିସିଏଫ୍ କେ ମୁରୁଗ୍ସେନ୍ କହିଛନ୍ତି ଯେ ଚନ୍ଦନ ଗଛ ପାଇଁ ମାଟିର ଗୁଣବତ୍ତା ରହିବା ଦରକାର। ନ ହେଲେ ଗଛ ବଢ଼ିପାରିବ ନାହିଁ କି ବାସ୍ନା ଆସିବ ନାହିଁ। ଦକ୍ଷିଣ ଓଡ଼ିଶାର ମାଟିରେ ଉନ୍ନତ ଚନ୍ଦନ ଗଛ ସୃଷ୍ଟି ହୋଇପାରିବ କି ନାହିଁ ତାହା ଉପରେ ଅନୁଧ୍ୟାନ କରୁଛୁ। ନୂଆ ଗଛ ଲଗାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। swadhikarswadhikar news Share