ନବରଙ୍ଗପୁରରୁ ୩୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ପ୍ରତ୍ୟେକ ଦିନ ଓଡ଼ିଶାର ପ୍ରମୁଖ୍ୟ ସହର ସମେତ ଆନ୍ଧ୍ରପ୍ରଦେଶ-ତେଲଙ୍ଗାନାକୁ ଯୋଡୁଛି। ନବରଂଗପୁରରୁ ଦୈନିକ ହାଇଦ୍ରାବାଦ, ବିଜୟୱାଡା, ବିଶାଖାପାଟଣା, ରାଜମହେନ୍ଦ୍ରୀ, ଗୁଣ୍ଟୁର, ଭୁବନେଶ୍ବର, ବ୍ରହ୍ମପୁର ଓ କଟକକୁ ଯିବା ଆସିବା କରୁଛି। ଦିନକୁ ଏତେ ବସ୍ ଚଳାଚଳ କରୁଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ବି ବସ୍ର ସ୍ଥାୟୀ କିମ୍ବା ନିୟମିତ ପରମିଟ୍ ନାହିଁ।ଏସବୁ ଦ୍ରୁତଗାମୀ ବସ୍ ଗୁଡିକ ଜିଲ୍ଲା ସଦରମହକୁମା ଦେଇ ଆଂଚଳିକ ପରିବହନ କାର୍ଯ୍ୟାଳୟ, ବିଭିନ୍ନ ପୁଲିସ ଥାନା ସମ୍ମୁଖ ଦେଇ ଯାଆସ କରୁଥିଲେ ହେଁ ଦିନକ ବି ଏସବୁର ପରମିଟ୍ , ଯାତ୍ରୀ ଓ କାଗଜପତ୍ରର ଯାଞ୍ଚ କରାଯାଉ ନାହିଁ। ଏସବୁ ବସ୍ ଗୁଡ଼ିକ ଟୁରିଷ୍ଟ ପରମିଟରେ ଚାଳୁଛି। ଖାସ୍ କରି ଏହି ବସ୍ ଦାଦନ ଶ୍ରମିକ ଚାଳାଣର ପ୍ରମୁଖ ମାଧ୍ୟମ ସାଜିଛି। ଏସବୁ ବସରେ ୪୦ଜଣ ବସି ଯିବା ସ୍ଥାନରେ ୧୨୦ଜଣ ଯାଏଁ ଯାତ୍ରୀ ବିପଦସଂକୁଳ ଅବସ୍ଥାରେ ପରିବହନ କରାଯାଉଛି। ଯଦି କିଛି ଅଘଟଣ ହେଲେ କିଏ ଉତ୍ତର ଦାୟୀ ଉଠିଛି ପ୍ରଶ୍ନ। ଉପରୋକ୍ତ ମହାନଗର ଗୁଡ଼ିକୁ ଗଢ଼ୁଥିବା ବସ ଗୁଡିକ ପର୍ଯ୍ୟଟନସ୍ଥଳୀକୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ବୁଲାଇବାକୁ ନେବା ନାଁରେ ଟୁରିଷ୍ଟ ପରମିଟରେ ଚାଳିଛି।ଆନ୍ଧ୍ର ଓ ତେଲଙ୍ଗାନ୍ନାର କିଛି ଗେଟ୍ ସହ କିଛି ପରିବହନ ଅଧିକାରୀ, ପୁଲିସ ଅଧିକାରୀଙ୍କୁ ମାସିଆରୀ ଓ ବାର୍ଷିକ ହାତଗୁଂଜା ଦେଇ ଏସବୁ ବସ ଚାଳିଥିବା ଜଣେ ବସ ମାଲିକ କହିଛନ୍ତି। ଏହି ଟୁରିଷ୍ଟପରମିଟ ଆବେଦନ ସମୟରେ ଯାତ୍ରୀଙ୍କ ନାଁ ତାଲିକା ଦାଖଲ କରିବାକୁ ପଡ଼େ। ଏଥିରେ ସବୁ ମିଛ ନାଁର ତାଲିକା ପ୍ରସ୍ତୁତ କରି ଦାଖଲ କରି ଟୁରିଷ୍ଟପରମିଟ ଅଣାଯାଉଛି। ଯଦି କିଛି ଯାଂଚ ହେଉଥିବା କଣ୍ଡକ୍ଟର ଶୁଣିବା ମାତ୍ରକେ ସେ ସମୟର କିଛି ସମ୍ମୁଖ ସିଟର ଯାତ୍ରୀଙ୍କ ନାଁ ପଚାରି ମିଛ ସତ ଯାତ୍ରୀତାଲିକା ପ୍ରସ୍ତୁତ କରି ଦେଖାଉଛନ୍ତି। ଏପରି ତାଲିକା ଆନ୍ଧ୍ର ଓ ତେଲେଙ୍ଗାନ୍ନାର ଗେଟରେ ଦାଖଲ କରାଯାଉଛି ବୋଲି ଜଣେ କଣ୍ଡକ୍ଟର କହିଛନ୍ତି।ଯାତ୍ରୀ ପରିବହନ ସମୟରେ କିଛି ଅଘଟଣ ହେଲେ ଟୁରିଷ୍ଟ ପରମିଟରେ ଚାଳୁଥିବାରୁ ମୃତାହତ କିମ୍ବା ଗୁରୁତର ଆହତକୁ ମୋଟର ଯାନ ଆଇନ୍ ଅନୁଯାୟୀ କ୍ଷତିପୂରଣ ବି ମିଳିବ ନାହିଁ ବୋଲି କହିଛନ୍ତି ଆଇନଜୀବୀ। ପ୍ରତ୍ୟେକ ଦିନ ଯିବା ଆସିବା କରୁଥିବା ଏଭଳି ପ୍ରାୟ ୨ହଜାରରୁ ଉର୍ଦ୍ବ ଯାତ୍ରୀ ବିପଦସଂକୁଳ ଅବସ୍ଥାରେ ହିଁ ଯାତ୍ରା କରୁଛନ୍ତି। ରାତ୍ରୀକାଳୀନ ବସ ଗୁଡିକରେ ସିସିଟିଭି କ୍ୟାମେରା ଲାଗିବା କଥା। ଅଳ୍ପ କିଛି ବସରେ ହିଁ ଏହା ଲାଗିଛି। ବହୁ ସମୟରେ ବହୁ ବଡ ବଡ ପ୍ରଶାସନିକ ଅଧିକାରୀ ମାନେ ବି ଏହି ବସରେ ହାଇଦ୍ରାବାଦ୍ ଯାତ୍ରା କରୁଥିଲେ ହେଁ ସେମାନେ ବି ଧର୍ମକୁ ଆଖି ଠାର ଭଳି ଦେଖି ନ ଦେଖିଳା ଭଳି ଚୁପ ରହୁଛନ୍ତି। ଶନିବାର ରାତିରେ ଆନ୍ଧ୍ୟର ରାମଭଦ୍ରପୁରମରେ ଘରୋଇ ବସ୍ର ପଛଛକ ଫାଟି ନିଆଁ ଲାଗିଯାଇଥିଲା। ଯଦିଓ ୪୦ଜଣ ଯାତ୍ରୀ ଭାଗ୍ୟବଶତଃ ବଂଚିଯାଇଥିଲେ। ଏଥିରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ ବି ଉପସ୍ଥିତ ଥିଲେ।ସେହିପରି ଗତ ବର୍ଷ ହାଇଦ୍ରାବାଦରୁ ଆସୁଥିବା ବସ୍ ଚିତ୍ରକୋଣ୍ଡା ନିକଟରେ ଦୁର୍ଘଟଣା ପରେ ମାଲକାନଗିରୀ ପ୍ରଶାସନ ଚେତିବାସହ ବସ୍ ଯାଞ୍ଚ ବେଳେ ୪୦ଜଣ ଯାତ୍ରୀ ରହିବାସ୍ଥାନରେ ୧୧୬ଜଣ ରହିଥିବା ଜଣା ପଡ଼ିଛି। ମୋଟରଯାନ ଆଇନକୁ ଦଳି ମକଚି ଯାତ୍ରୀ ପରିବହନ ପରମିଟ, ରୋଡଟ୍ୟାକ୍ସକୁ ପାଙ୍କି ଚଳାଚଳ ହେଉଛି। ଏହି ବସ୍ ଗୁଡ଼ିକୁ ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଉଠିଛି ଦାବି।
