ଧାନକିଣାକୁ ସୁବ୍ୟବସ୍ଥିତ କରିବାକୁ ପ୍ରତିବର୍ଷ ଜିଲ୍ଲାସ୍ତରଠାରୁ ନେଇ ରାଜ୍ୟସ୍ତରରେ ପ୍ରସ୍ତୁତି ବୈଠକ ହେଉଛି। ତୃଣମୂଳସ୍ତରରେ ଥିବା ମଣ୍ଡିରେ ଧାନ କିଣାବିକାଠାରୁ ନେଇ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଧିକାରୀ, କର୍ମଚାରୀଙ୍କୁ ମଣ୍ଡି ଉପରେ ନଜର ରଖିବାକୁ ନିଯୁକ୍ତ କରାଯାଉଛି। ମାତ୍ର, ବାସ୍ତବରେ ଏହି ନିଯୁକ୍ତି କାଗଜପତ୍ରରେ ହେଉଥିବାବେଳେ ଚାଷୀଙ୍କୁ ଯୋଜନାବଦ୍ଧ ଭାବେ ଲୁଟ୍ କରାଯାଉଛି।ଅପରପକ୍ଷେ, ମଣ୍ଡିରେ ମଣ୍ଡି ନୋଡାଲ ଅଧିକାରୀ (ଏମ୍ଏନ୍ଓ), ମଣ୍ଡି ସୁପରଭାଇଜିଂ ଅଧିକାରୀ (ଏମ୍ଏସ୍ଓ) ଭଳି ଅଧିକାରୀ ନିଯୁକ୍ତି ହେବା କଥା। ସେମାନେ ଉପସ୍ଥିତ ରହିବାର ନିୟମ ଥିବାବେଳେ ଏମ୍ଏନ୍ଓ, ଏମ୍ଏସ୍ଓ ପ୍ରମୁଖ ଯେଭଳି କଟ୍ନିଛଟ୍ନି ନ ହେବ, ତାହା ଉପରେ ନଜର ଦେବା କଥା। ହେଲେ, ଏ ସବୁ କେବଳ କାଗଜପତ୍ରରେ ସୀମିତ। ମଣ୍ଡିରେ ଅଧିକାରୀଙ୍କ ପାଦ ପଡ଼ୁନଥିବା କାରଣରୁ କିଛିଦିନ ତଳେ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରିଥିଲେ। ପ୍ୟାକ୍ସଠାରୁ ନେଇ ଏମ୍ଏନ୍ଓ, ଏମ୍ଏସ୍ଓ ତଥା ଯୋଗାଣ, ସମବାୟ ବିଭାଗ ଚାଷୀଙ୍କ ପକ୍ଷ ନେବା ବଦଳରେ ମିଲର୍ ପକ୍ଷ ନେଉଛନ୍ତି। ସଭିଙ୍କ ମଧୁଚନ୍ଦ୍ରିକାରେ କଟ୍ନିଛଟ୍ନି ହେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେନ ନନ୍ଦ କହିଛନ୍ତି, ପ୍ରତ୍ୟେକଥର ସିଏଜି ରିପୋର୍ଟରେ ଧାନକିଣା ଦୁର୍ନୀତି ଧରାପଡ଼ୁଛି। ହେଲେ, ଏଥିରେ ତଳୁ ଉପର ଯାଏଁ ସଭିଏଁ ସାମିଲ ଥିବାରୁ ଏହାର ନିରାକରଣ କରାଯାଉ ନାହିଁ। ମିଲର୍- ଅଧିକାରୀ-କର୍ମଚାରୀ ମାଲେମାଲ ହେଉଥିବା ବେଳେ ଚାଷୀ କାନ୍ଦୁଛି।ମଣ୍ଡିରେ କଟ୍ନିଛଟ୍ନି ବନ୍ଦ କରିବେ ବୋଲି ବିଜେପି ନାରା ଦେଇ ସରକାରକୁ ଆସିଥିଲା, ହେଲେ ବିଜେଡି ଭଳି ବିଜେପି ସରକାର ସମୟରେ ବି ମଣ୍ଡିରେ ମହାଦୁର୍ନୀତି ଚାଲିଛି। ଚଳିତ ବର୍ଷ ବାଲେଶ୍ବର ଜିଲ୍ଲାରେ ୧୪୩ ପ୍ୟାକ୍ସ, ୭ ଏସ୍ଏଚ୍ଜି ଜରିଆରେ ଧାନ କିଣାଯାଉଛି। ଜିଲ୍ଲାରେ ପ୍ରାୟ ୧୫୦ଟି ମଣ୍ଡି ଖୋଲିଥିବା ବେଳେ ମଣ୍ଡିରେ କଟ୍ନିଛଟ୍ନି ପାଇଁ କେଉଁଠି ଚାଷୀ କେବେ ରାସ୍ତାରୋକ ତ କେବେ ଜିଲ୍ଲାପାଳ, ସିଏସ୍ଓ କାର୍ଯ୍ୟାଳୟରେ ଫେରାଦ ହେଉଥିବା ଦେଖାଯାଇଛି।
