ଓଡ଼ିଶାରେ ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଉପରେ କଟକଣା । ନୂଆ ପରମିଟ୍ ପ୍ରଦାନ କରାଯିବ ନାହିଁ । ମାଲିକାନା ହସ୍ତାନ୍ତର କିମ୍ବା କୌଣସି କର ଗ୍ରହଣ ଉପରେ ମଧ୍ୟ ଅଙ୍କୁଶ । ଏନେଇ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଓ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
୨୦୨୩ ଜୁଲାଇ ୧୯ରେ ରାଜ୍ୟ ପରିବହନ ପ୍ରାଧିକରଣର ୩୦୧ତମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଥିବା ୧୦ ବର୍ଷରୁ ଅଧିକ ପୁରୁଣା ବାଣିଜ୍ୟିକ ଗାଡ଼ି ଗୁଡ଼ିକର ଓଡ଼ିଶା ମଧ୍ୟକୁ ପ୍ରବେଶ ଓ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି । ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଥିବା ବାହାର ରାଜ୍ୟର କୌଣସି ବି ବାଣିଜ୍ୟିକ ଗାଡ଼ିକୁ ଓଡ଼ିଶାରେ ଚଳାଚଳ ପାଇଁ ନୂଆ ପରମିଟ୍ ଦିଆଯିବ ନାହିଁ । ଏଥିସହିତ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଏହିପରି ପୁରୁଣା ଗାଡ଼ିଗୁଡ଼ିକର ଠିକଣା ପରିବର୍ତ୍ତନ, ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ କର ଗ୍ରହଣ କରାଯାଇପାରିବ ନାହିଁ। ସବୁ RTO ଓ ARTO ଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
