ଓଡ଼ିଶାର ବିଦ୍ୟୁତ୍ ଭିତ୍ତିଭୂମି କ୍ଷେତ୍ରରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ବାଲିଅନ୍ତାରେ ୩ଟି ନୂତନ ଗ୍ରିଡ୍ ସବ୍ଷ୍ଟେସନ୍ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଦ୍ୟୁତ୍ ସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ନିରବଚ୍ଛିନ୍ନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ କରାଯାଇଛି। ପ୍ରାୟ ୬ ଶହ କୋଟିରେ ନିର୍ମିତ ବାଲିଅନ୍ତା, ସତ୍ୟନଗର, କଟକର ଏସ୍ସିବି ମେଡିକାଲରେ ଗ୍ରିଡ୍ ସବ୍ଷ୍ଟେସନ୍ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ଉପକୃତ ହେବେ। ଏହା ସହ ଭୁବନେଶ୍ବରକୁ ଏକ ବିକଳ୍ପ ବିଦ୍ୟୁତ୍ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି। ଆଗାମୀ ଦିନରେ କଟକ ଓ ଭୁବନେଶ୍ବରକୁ ଏକାଧିକ ଫିଡର ଲାଇନ୍ ଦ୍ବାରା ସଂଯୁକ୍ତ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ପ୍ରକଳ୍ପଗୁଡ଼ିକ ବହୁ ପୂର୍ବରୁ ମଞ୍ଜୁରି ପାଇଥିଲେ ମଧ୍ୟ କୋର୍ଟରେ ମାମଲା ଓ ବିଭିନ୍ନ ସମସ୍ୟା ଯୋଗୁ କାର୍ଯ୍ୟ ଆରମ୍ଭ ହୋଇ ପାରୁ ନଥିଲା। ନୂଆ ସରକାର ଦାୟିତ୍ବ ଗ୍ରହଣ କଲାପରେ ୧ବର୍ଷ ମଧ୍ୟରେ ଓପିଟିସିଏଲ୍ ପକ୍ଷରୁ ୪ଟି ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ୍ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ଏଥି ମଧ୍ୟରୁ ନୟାପଲ୍ଲୀ ଗ୍ରିଡ୍ରୁ ଗତବର୍ଷଠାରୁ ବିଦ୍ୟୁତ୍ ସେବା ଆରମ୍ଭ ହୋଇସାରିଛି। ଆଗକୁ ଭୁବନେଶ୍ୱରର ବିଦ୍ୟୁତ୍ ଶକ୍ତି ଚାହିଦା ଦୁଇଗୁଣା ହେବ। ବର୍ତ୍ତମାନ ୧ ହଜାର ମେଗାୱାଟ୍ ଅଛି, ତାହା ୨୦୩୦ ସୁଦ୍ଧା ଦୁଇ ହଜାର ମେଗାୱାଟ୍ରେ ପହଞ୍ଚିବ। ରାଜ୍ୟରେ ପ୍ରଥମଥର ପାଇଁ ଡିଜିଟାଲ ଗ୍ରିଡ୍ ସବ୍ଷ୍ଟେସନ ନିର୍ମାଣ କରାଯାଇଛି। ରାଜଧାନୀ ପାଇଁ ୭୬୫ କେଭି ଟ୍ରାନ୍ସମିସନ୍ ବ୍ୟବସ୍ଥାର ବିକାଶ ଯୋଜନା ରହିଛି। ପରବର୍ତ୍ତୀ ସମୟରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଗ୍ରିଡ୍ ସବ୍-ଷ୍ଟେସନ୍କୁ ଏକାଧିକ ଫିଡର ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରାଯିବ। ଓପିଟିସିଏଲ୍ ଦେଶର ଏକମାତ୍ର ବିଦ୍ୟୁତ୍ ସଂଚାରଣ ସଂସ୍ଥା, ଯାହା ୭୦ଟି ଗ୍ରିଡ୍ ସବ୍-ଷ୍ଟେସନ୍କୁ ରିମୋଟ୍ ଅପରେସନ୍ ମାଧ୍ୟମରେ ପରିଚାଳନା କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଙ୍ଗାରପୁର, ଉତ୍ତମପୁର, ଗଙ୍ଗେଶ୍ୱର, ପାଣ୍ଡରା, ଜଗନ୍ନାଥ ନଗର, ମଙ୍ଗରାଜ, ପଳାଶୁଣୀ ଓ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଆଉ ୩ଟି ଫିଡର ଯୋଗାଇ ଦେବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଥିଲେ।
