Odia News Portal

୧୦ କୋଟିର ଗିଫ୍ଟ

ବଢିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ । କୋଟି କୋଟି ଟଙ୍କାର ଅର୍ଥ ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ଅଭିନେତ୍ରୀ ଜ୍ୟାକଲିନଙ୍କୁ ଦେଇଥିଲେ ଅଦ୍ଭୁତ ଉପହାର । ଏହା ମଧ୍ୟରେ ଥିଲା ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ପାର୍ସୀ ବିଲେଇ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦାଖଲ କରିଥିବା ଚାର୍ଜସିଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ଦର୍ଶାଯାଇଛି । କେବଳ ଏତିକି ନୁହେଁ, ଜ୍ୟାକଲିନଙ୍କୁ ଚନ୍ଦ୍ରଶେଖର ଯେତିକି ଉପହାର ଦେଇଥିଲେ ସେସବୁର ମୋଟ ଦାମ୍ ୧୦ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଘଟଣାରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଇଡି ।

ଗତ ଜାନୁଆରୀରୁ ଜ୍ୟାକଲିନଙ୍କୁ ଚନ୍ଦ୍ରଶେଖର ଗିଫ୍ଟ ଦେବା ଆରମ୍ଭ କରିଥିଲେ । ଠକେଇ ଅଭିଯୋଗ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଚନ୍ଦ୍ରଶେଖର ଜାମିନରେ ଆସିବା ପରେ ଜ୍ୟାକଲିନଙ୍କ ଲାଗି ମୁମ୍ବାଇରୁ ଦିଲ୍ଲୀ ଓ ଦିଲ୍ଲୀରୁ ଚେନ୍ନାଇ ଯିବା ସକାଶେ ଏକ ଚାର୍ଟର୍ଡ ବିମାନ ବୁକ୍ କରିଥିଲେ । ପରେ ସେମାନେ ଚେନ୍ନାଇର ଏକ ହୋଟେଲରେ ରହିଥିଲେ । ଏପରିକି ଜାମିନରେ ଥିବା ବେଳେ ଚନ୍ଦ୍ରଶେଖର ବିମାନ ଖର୍ଚ୍ଚ ବାବଦରେ ୮ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି ।