Odia News Portal

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ ଓ ସ୍ବର ବ୍ୟବହାର ମନା

ତାଙ୍କ ବିନା ଅନୁମତିରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ୱର, ନାମ ଏବଂ ଫଟୋ ଆଦି ବ୍ୟବହାର ଉପରେ ଦିଲ୍ଲୀ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି । ଅମିତାଭ ବଚ୍ଚନଙ୍କ ଏକ ଆବେଦନ ଉପରେ କୋର୍ଟ ଏପରି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ।

ଅମିତାଭ ବଚ୍ଚନଙ୍କ ସହ ଜଡିତ କୌଣସି କଣ୍ଟେଣ୍ଟ୍ ହଟାଇବାକୁ ଟେଲିକମ୍ ମନ୍ତ୍ରଣାଳୟ ସମେତ ସମ୍ପୃକ୍ତ ବିଭାଗକୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ବିଗ୍ ବି ତାଙ୍କ ବିନା ଅନୁମତିରେ ତାଙ୍କ ବୌଦ୍ଧିକ ସମ୍ପତ୍ତି ବ୍ୟବହାର ଉପରେ ନିଷେଧାଦେଶ ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଶତାବ୍ଦୀର ମହାନାୟକ ତାଙ୍କ ନାମ, ଛବି, ସ୍ୱର ଏବଂ ବ୍ୟକ୍ତିତ୍ୱର ସୁରକ୍ଷା ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ, ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଶୋ’ କୌନ୍ ବନେଗା କରୋଡପତି (କେବିସି)ର ଏକ ନକଲି ଲଟେରୀ ସ୍କାମ୍ ସାମ୍ନାକୁ ଆସିଥିଲା । ଏଥିପାଇଁ ବଚ୍ଚନଙ୍କ ଛବି ଏବଂ ସ୍ୱରର ବ୍ୟବହାର କରାଯାଇଥିଲା । ଏନେଇ ଏହି କିମ୍ବଦନ୍ତୀ ଅଭିନେତା ତାଙ୍କ ପ୍ରଚାର ଅଧିକାରର ସୁରକ୍ଷା ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେ କହିଛନ୍ତି ଯେ ଏହା ତାଙ୍କ ସେଲିବ୍ରିଟି ମାନ୍ୟତାର ପରିପନ୍ଥୀ।