Odia News Portal

ଜଳେଶ୍ବରରେ ଜମୁଛି ଚଡ଼କ ଯାତ୍ରା, ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ

ଜଳେଶ୍ବରରେ ଜମୁଛି ଚଡ଼କ ଯାତ୍ରା । ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ହରହର ମହାଦେବ , ଓମ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ଚନ୍ଦନେଶ୍ବର ଶୈବପୀଠ । ଚଡ଼କ ଯାତ୍ରାର ଦ୍ବିତୀୟ ଅର୍ଘ୍ଯ ବା ମହା ନୀଳପର୍ବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିସରରେ ଥିବା ନୀଳ ପୋଖରୀରୁ ଥମ୍ବୀ କାଠ ଉଠାଇ ମନ୍ଦିର ଚତୁର୍ପାର୍ଶ୍ବରେ ପରିକ୍ରମା କରାଯାଇ ନିତୀକାନ୍ତି ସମାପନ ହୋଇଥିଲା । ଆଜି ପାଟ ପର୍ବରେ ଆହୁରି ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଅନୁମାନ କରାଯାଇଛି ।

ଆଜି ବାବାଙ୍କ ମହାନ ପାଟ ପର୍ବରେ ଉପବିତ ଧାରି ମାନେ ନିଜ ଦେହରେ କଣ୍ଟା ମାରି ବାବାଙ୍କ ଠାରେ ନିଜକୁ ସମର୍ପି ଦେବା ସହିତ ଉଭୟ ଉଭୟଙ୍କୁ ମାଳା ଚନ୍ଦନ ଦେଇ ବ୍ରତ ଶେଷ କରିବେ। ଅପରାହ୍ନରେ ହାକାଣ୍ଡ ପୋଖରୀ ଠାରୁ ବିଶାଳ ଶୋଭା ଯାତ୍ରା ବାହାରି ମନ୍ଦିର ନିକଟରେ ପହଂଚିବ । ଏଥିସହ ଗତକାଲି ଦ୍ୱିତୀୟ ଅର୍ଘ୍ୟ ସୁଦ୍ଧା ଉପବିତଧାରୀ ଭକ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲା ବେଳେ ଆଇନଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ୨୧ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ସହିତ ଚନ୍ଦନେଶ୍ଵର ମେଳାରେ ସ୍ୱତନ୍ତ୍ର ୩ ପ୍ଲାଟୁନ ବିଏସଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି ।