Odia News Portal

ପରଲୋକରେ ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର

ମୁମ୍ବାଇ: ବଲିଉଡର ‘ଟ୍ରାଜେଡି କିଙ୍ଗ’ ଭାବେ ପରିଚିତ ବର୍ଷିଆନ ଅଭିନେତା ଦିଲୀପ କୁମାରଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ମୁମ୍ବଇର ହିନ୍ଦୁଜା ହାସପାତାଳରେ ଜୁନ ୩୦ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୃତ୍ରିମ ଶ୍ୱାସଯନ୍ତ୍ର ଚିକିତ୍ସାରେ ରଖାଯାଇଥିଲା । ଦିଲୀପ କୁମାର ହାସପାତାଳରେ ଭର୍ତ୍ତି ହେବା ଦିନଠାରୁ ତାଙ୍କ ପତ୍ନୀ ସାଇରା ବାନୁ ତାଙ୍କ ପାଖେ ପାଖେ ରହିଥିଲେ । ତେବେ ବୁଧବାର ସକାଳ ୭.୩୦ରେ ତାଙ୍କର ପରଲୋକ ଘଟିଛି ।

ଦିଲୀପ କୁମାରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଦିଲୀପ କୁମାର ଜଣେ କିମ୍ବଦନ୍ତୀ ଅଭିନେତା ଭାବରେ ଚିର ସ୍ମରଣୀୟ ହୋଇ ରହିବେ । ତାଙ୍କ ନିକଟରେ ଅତୁଳନୀୟ ଅଭିନୟ ଚାତୁରୀ ରହିଥିଲା, ଯେଉଁଥିପାଇଁ ପିଢି ପରେ ପିଢି ଦର୍ଶକମାନଙ୍କୁ ସେ ନିଜ ଅଭିନୟରେ ସମ୍ମୋହିତ କରି ରଖିପାରିଥିଲେ । ତାଙ୍କର ବିୟୋଗ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଏଥିସହିତ ପ୍ରଧାନମନ୍ତ୍ରୀ ଦିଲୀପ କୁମାରଙ୍କ ପରିବାରବର୍ଗଙ୍କୁ ସମବେଦନା ଏବଂ ସାନ୍ତ୍ୱନା ଜଣାଇଛନ୍ତି ।