Odia News Portal

ଅଭିନେତା ସୋନୁ ସୁଦଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ୍

*ସାମ୍ନାକୁ ଆସିଲା ସାହାଯ୍ୟ ପଛର ସତ ।

ଭୁବନେଶ୍ବର: ଅଭିନେତା ସୋନୁ ସୁଦ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି। କରୋନାର ପ୍ରଥମ ଲହର ସମୟରେ ଅଭିନେତା ଅନେକ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଅନେକ ପ୍ରଶଂସା ସାଉଁଟି ଥଲେ ।ସେହିଭଳି ଦ୍ୱିତୀୟ ଲହରରେ ମଧ୍ୟ ଲୋକଙ୍କୁ ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି । ବ୍ରହ୍ମପୁରରେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ମେ ୧୫ତାରିଖରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ପ୍ରଦୀପ ବେହେରା ନାମକ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଶଯ୍ୟା ପାଇଁ ଆକୁଳ ନିବେଦନ କରିଥିବା ସଂକ୍ରମିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅଭିନେତା ସୋନୁ । ପ୍ରଦୀପ ସୋନୁ ସୁଦ୍‌ଙ୍କୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ କରୋନା ଆକ୍ରାନ୍ତ। ସେ ବହୁ ଚେଷ୍ଟା କରିବା ପରେ ବି ତାଙ୍କୁ କୋଭିଡ୍‌ ଚିକିତ୍ସା ପାଇଁ କୌଣସି ହସ୍‌ପିଟାଲ୍‌ରେ ଶଯ୍ୟା ମିଳୁନି। ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଇଦେବାକୁ ସେ ଅନୁରୋଧ କରିଥିଲେ । ଟ୍ୱିଟ୍‌ କରିବାର କିଛି ସମୟ ପରେ ସୋନୁ ସୁଦ୍‌ ନିଜ ଟ୍ୱିଟ୍‌ ଆକାଉଣ୍ଟ୍‌ରେ ସିଟି ହସ୍‌ପିଟାଲ୍‌ରେ ଶଯ୍ୟା ପ୍ରସ୍ତୁତ ହୋଇ ରହିଥିବା ଉଲ୍ଲେଖ କରିଥିଲେ । ‘ଚିନ୍ତା କରନ୍ତୁ ନାହିଁ, ବ୍ରହ୍ମପୁର ଗଞ୍ଜାମ ସିଟି ହସ୍ପିଟାଲ୍‌ରେ ଶଯ୍ୟାର ବନ୍ଦୋବସ୍ତ ହୋଇ ସାରିଛି’ ସୋନୁ ସୁଦଙ୍କ ଆଶ୍ଵାସନାର ଏହି ଟ୍ଵିଟ୍‌ର ଜବାବ ଦେଇ ଗଞ୍ଜାମ ଜିଲ୍ଲାପାଳ ବାସ୍ତବତାକୁ ସାମ୍ନାକୁ ଆଣିଛନ୍ତି।

ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ ସୋନୁ ସୁଦଙ୍କ ଟ୍ଵିଟ୍‌ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ଆମେ ସୁଦ ଫାଉଣ୍ଡେସନ କିମ୍ବା ସୋନୁସୁଦଙ୍କଠୁ କୌଣସି ଯୋଗାଯୋଗ ପାଇନାହୁଁ କି ତାଙ୍କ ଦ୍ଵାରା କୌଣସି ଶଯ୍ୟାର ବନ୍ଦୋବସ୍ତ ହୋଇ ନାହିଁ। ଯେଉଁ ବ୍ୟକ୍ତି ଶଯ୍ୟା ପାଇଁ ଅନୁରୋଧ କରିଥିବା କଥା କୁହାଯାଉଛି ସେ ବର୍ତ୍ତମାନ ହୋମ ଆଇସୋଲେସନରେ ଅଛନ୍ତି। ବ୍ରହ୍ମପୁରରେ ଶଯ୍ୟାର ଅଭାବକୁ ନେଇ କୌଣସି ଅଭିଯୋଗ ନାହିଁ। ବ୍ରହ୍ମପୁରରେ କରୋନାର ମୁକାବିଲା ପାଇଁ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏହାର ତଦାରଖ କରୁଛନ୍ତି।