Odia News Portal

କେମିତି ହେବେ ପତଳା

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ମଣିଷ ସତେଜ ରହିଥାଏ । ଏଥିସହ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ । ପାଣିପାଗ ପରିବର୍ତ୍ତନରେ ଆମେ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ । ଏଥିପାଇଁ ପାଣିପାଗ ସହ ଖାପଖୁଆଇ ନିଜ ଶରୀରର ସଠିକ୍ ଧ୍ୟାନ ନିଅନ୍ତୁ । ଶୀତଦିନେ ବାହ୍ୟ ଶରୀର ସଙ୍ଗେ ସଙ୍ଗେ ଆନ୍ତରିକ ଅଙ୍ଗର ଯତ୍ନ ନେବା ଜରୁରୀ ।

ନ୍ୟୁଟ୍ରିସନିଷ୍ଟ ଅଜରା ଖାନଙ୍କ କହିବାନୁସାରେ ଖାଦ୍ୟରେ ପରିବର୍ତ୍ତନ ଆଣିଲେ ଆମ ସ୍ୱାସ୍ଥ୍ୟରେ ଆମେ ସୁଧାର ଆଣିପାରିବା । ବର୍ତ୍ତମାନ ‘ଜିରୋ’ ସାଇଜର ଟ୍ରେଣ୍ଡ ଚାଲୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତି ଏହି ଟ୍ରେଣ୍ଡ ଫଲୋ କରିବାରେ ଲାଗିପଡ଼ିଛନ୍ତି । ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେଉଛନ୍ତି । ଏହି ନ୍ୟୁଟ୍ରିସନିଷ୍ଟ ନିଜ ଇନଷ୍ଟାଗ୍ରାମରେ ୫ଟି ଖାଦ୍ୟର ଉପକାରିତା ଲେଖିଛନ୍ତି । ଯାହା ଶରୀରକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ଓଜନ କମାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ :

ପିଜୁଳି : ଶୀତଦିନେ ସବୁଠୁ ଅଧିକ ବିକ୍ରି ହେଉଥିବା ଫଳ ହେଉଛି ପିଜୁଳି । ପିଜୁଳି ଶରୀରର ଓଜନ କମାଇବାରେ ସାହାଯ୍ୟ କରେ । ବିଶେଷଜ୍ଞଙ୍କ ମତରେ ପିଜୁଳି ଖାଇବା ଦ୍ୱାରା ପ୍ରତ୍ୟେକ ଦିନ ଶରୀରରେ ଫାଇବରର ଆବଶ୍ୟକତା ୧୨ ପ୍ରତିଶତ ପୂରଣ ହୋଇଥାଏ । ଏଥିସହ ଏହା ଶରୀରର ପାଚନ କ୍ରିୟାରେ ସହାୟକ ହୋଇଥାଏ । ଶରୀରରେ ପାଚନକ୍ରିୟା ଠିକ୍ ଭାବେ ସମ୍ପର୍ଣ୍ଣ ହେଲେ ଏହା ଶରୀରରେ ଶୀଘ୍ର ଓଜନ ହ୍ରାସ କରିଥାଏ ।

ଡାଲଚିନି : ପ୍ରତିଦିନ ୨ ଖଣ୍ଡ ଡାଲଚିନି ଶରୀରରେ ଓଜନ ହ୍ରାସ କରାଇଥାଏ । ବିଶେଷ କରି ଶୀତଦିନେ ଡାଲଚିନି ଶରୀର ଗରମ ରଖିଥାଏ । ଜର୍ନଲ ଅଫ୍ ନ୍ୟୁଟ୍ରିସନାଲ ସାଇନ୍ସ ଏଣ୍ଡ ଭିଟାମିନୋଲୋଜି ରିପୋର୍ଟ ଅନୁସାରେ ଡାଲଚିନିରେ ସିନମାମାଡିହାଇଡର ଉପସ୍ଥିତି କାରଣରୁ ପାଚନପ୍ରକ୍ରିୟା ସଠିକ୍ ହୋଇଥାଏ । ଯାହା ଶରୀରରେ ମେଦବହୁଳତା ହ୍ରାସ କରିଥାଏ ।

ଗାଜର : ଶରୀରରେ ମେଦବହୁଳତା ହ୍ରାସ କରାଇବାରେ ଗାଜର ସାହାଯ୍ୟ କରିଥାଏ । ଏହାକୁ ଆପଣ ଖାଲି ଖାଇବା ସହ ପ୍ରତ୍ୟେକ ଦିନ ଗରିଷ୍ଠ ଖାଦ୍ୟ ପରେ ସାଲାଡ ଆକାରରେ ଖାଇପାରିବେ । ଗାଜର ଖାଇବା ଦ୍ୱାରା ଅନେକ ସମୟ ଯାଏ ଭୋକ ହୋଇନଥାଏ । ଏହା ଦ୍ୱାରା ବାରମ୍ବାର ଖାଇବାର ଅଭ୍ୟାସ ମଧ୍ୟ କମ୍ ହୋଇଥାଏ । ଖାଇବାରେ ପ୍ରତ୍ୟେକ ଦିନ ଗାଜର ଖାଇବା ଭଲ କାରଣ ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଥାଏ ।

ସବୁଜ ପନିପରିବା : ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ସବୁଜ ପନିପରିବା ଏଥିପାଇଁ ଖୁବ୍ ଲାଭଦାୟକ । ପାଳଙ୍ଗ ଶାଗ ଓଜନ ହ୍ରାସ କରିବାରେ ସହାୟ ହୋଇଥାଏ । ଏହା ଦ୍ୱାରା ଶରୀରରେ ଥିବା ଚର୍ବି କମ୍ ହେବା ସହ ଏଥିରେ ଫାଇବରର ମାତ୍ରା ଭରପୂର ଥାଏ ।

ମେଥି : ଶୀତଦିନେ ମେଥି ଖାଇବା ଦ୍ୱାରା ଏହା ଓଜନ ହ୍ରାସ ସହ ସୁଗାର ଲେଭଲ ନିୟନ୍ତ୍ରଣ ରଖିଥାଏ ।