ବାରିପଦା ସ୍ଥିତ ଛଉ ପଡିଆରେ ଉଦଘାଟିତ ହୋଇଛି ବିଶ୍ୱ ପ୍ରସିଦ୍ଧ “ଚୈତ୍ର ପର୍ବ-୨୦୨୬” ଓ “ଛଉ ନୃତ୍ୟ” । ଏଥି ସହିତ ସ୍ଥାନୀୟ କଲେଜ ଷ୍ଟାଡିୟମରେ “ଜିଲ୍ଲା ସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୬”ର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ୍ କହିଛନ୍ତି, “ମୟୂରଭଞ୍ଜ ମାଟିର ଚୈତ୍ର ପର୍ବରେ ଛଉ କଳାକାରମାନେ ନୃତ୍ୟ ପରିବେଷଣ କରିଛନ୍ତି । ଚଳିତ ବର୍ଷ ଚୈତ୍ର ପର୍ବରେ କିଛି ନୂଆ କରାଯାଇଛି । ଏହାକୁ କିଭଳି ବିଶ୍ବ ଦରବାରରେ ପହଞ୍ଚାଯାଇ ପାରିବ ସେ ନେଇ ଚେଷ୍ଟା କରାଯାଉଛି ।”ଉଦଘାଟନୀ ଦିବସରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ବିକାଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇ ଐତିହାସିକ ଛଉ ପଡିଆରେ ସମାପ୍ତ ହୋଇଥିଲା । ଅପରାହ୍ନ ସମୟରେ ବାଣ ରୋଷଣି, ବାଜା, ରଙ୍ଗୋଲି ସହିତ ମୟୂରଭଞ୍ଜର ଲୋକକଳା ସହ ଜଡ଼ିତ ଘୋଡ଼ା ନାଚ, କଳସ ଯାତ୍ରା, ଝୁମର ନାଚ, ଆଦିବାସୀ ପାରମ୍ପରିକ ନୃତ୍ୟ, ଶାଳପତ୍ର ନୃତ୍ୟ, ମୁଣ୍ଡାରୀ ନୃତ୍ୟ ଆଦି ଆଦି ୧୧ଟି ଲୋକନୃତ୍ୟ ଦଳକୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଥିଲା । ମୟୂରଭଞ୍ଜର ପ୍ରସିଦ୍ଧ ଦେବୀ ମାଆ ଅମ୍ବିକା ମନ୍ଦିରରୁ ଶୋଭାଯାତ୍ରା ବାହାରି ଏମପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟ୍ରାଫିକ ଛକ, ବାଣ୍ଠିଆ ଜଗନ୍ନାଥ ମନ୍ଦିର, ବିଜୁ ପଟ୍ଟନାୟକ ଛକ ମାର୍ଗ ଦେଇ ବାରିପଦା ସହର ପରିକ୍ରମା କରିବା ପରେ ଛଉ ପଡିଆ ଠାରେ ପହଞ୍ଚିଥିଲା । ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଆୟୋଜନ କରିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ।ଚଳିତ ବର୍ଷ ଚୈତ୍ର ପର୍ବ ଏବଂ ଛଉ ନୃତ୍ୟକୁ ଅଧିକ ଆକର୍ଷିତ କରିବା ପାଇଁ କିଛି ବିଶେଷ କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି । ଯାହା ମଧ୍ୟରେ ବାଲୁକା ଶିଳ୍ପ, ଖାଦ୍ୟ ଷ୍ଟଲ, ସାଙ୍ଗକୁ ରାଜ୍ୟ ତଥା ରାଜ୍ଯ ବାହାରୁ ଅନେକ ପାରମ୍ପରିକ ନୃତ୍ୟ ସାମିଲ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଏହି ପ୍ରସିଦ୍ଧ ପାରମ୍ପରିକ ଉତ୍ସବର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ଦର୍ଶକଙ୍କ ପାଇଁ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଉତ୍ସବରେ କିଛି ବିଶେଷ କାର୍ଯ୍ୟକ୍ରମ ଯୋଡ଼ା ଯାଇଛି । ଆଜି “ଚୈତ୍ର ପର୍ବ” ଓ “ଛଉ ନୃତ୍ୟ” ଉଦଯାପନୀ ଦିବସ । ସେହିପରି ୧୫ ତାରିଖ ଯାଏଁ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ।
