Odia News Portal

ଚଳଚିତ୍ର ନିର୍ମାତା ରାକେଶ କୁମାରଙ୍କ ପରଲୋକ

ଅଭିନେତା ତଥା ଫିଲ୍ମ ନିର୍ମାତା ରାକେଶ କୁମାରଙ୍କ ପରଲୋକ ହୋଇଛି। କର୍କଟ ରୋଗ ବିରୋଧରେ ଦୀର୍ଘ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ରାକେଶ କୁମାର। ତାଙ୍କ ପରଲୋକ ନେଇ ପରିବାର ଲୋକେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବଲିଉଡ ଫିଲ୍ମ ‘ଖୁନ ପସିନା’, ‘ଦୋ ଔର ଦୋ ପାଞ୍ଚ’, ‘ମିଷ୍ଟର ନଟବରଲାଲ’ ଓ ‘ୟାରାନା’ ଭଳି ଫିଲ୍ମ ଲାଗି ସେ ସର୍ବଦା ମନେ ରହିବେ। ରାକେଶ କୁମାରଙ୍କ ବିୟୋଗରେ ବିଗ୍-ବି ଏକ ନୋଟ୍ ଲେଖିଛନ୍ତି।

ସେ ଲେଖିଛନ୍ତି ଯେ ଜଣ ଜଣ କରି ସମସ୍ତେ ସାଥ ଛାଡି ଚାଲି ଯାଉଛନ୍ତି। ତେବେ ରାକେଶଙ୍କ ଭଳି ଲୋକେ ଛାପ ଛାଡି ଯାଆନ୍ତି, ଯାହାଙ୍କୁ ଭୁଲିବା କଷ୍ଟକର ବୋଲି ବିଗବି ଉଲ୍ଲେଖ କରିଛନ୍ତି। ତାଙ୍କର ପଟ କଥା ଓ ନିର୍ଦ୍ଦେଶନାର ଭାବନା, ଲେଖନ ଓ ସମ୍ପାଦନାର ସମୟ ଆଦୌ ଭୁଲି ହେବନି ବୋଲି କହିଛନ୍ତି ଅମିତାଭ ବଚ୍ଚନ। ଅମିତାଭ ବଚ୍ଚନ ରାକେଶ କୁମାରଙ୍କୁ ଜଣେ ଦୟାଳୁ ମଣିଷ ଭାବେ ଅଭିହିତ କରିଛନ୍ତି। ଅତ୍ୟନ୍ତ ମେଳାପି ଓ ଦୟାଳୁ ଯେ କୌଣସି ପ୍ରକାର ଅସୁବିଧାରେ ବି ପଦକ୍ଷେପ ନେବାକୁ ପ୍ରସ୍ତୁତ ମଣିଷ ଥିଲେ ବୋଲି ଲେଖିଛନ୍ତି ଅମିତାଭ ବଚ୍ଚନ।

ମୁମ୍ବାଇ ଅନ୍ଧେରୀରେ ନଭେମ୍ବର ୧୩ ତାରିଖରେ ତାଙ୍କ ଲାଗି ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାକେଶ କୁମାରଙ୍କ ପରିବାର ଲୋକେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏଥିରେ ଅମିତାଭ ଦିନଟିକୁ ଉଦାସ ଭରା ବୋଲି ଉଲ୍ଲେଖ କରିଛନ୍ତି। ଆଉ ଜଣେ ସହଯୋଗୀ ସାଥ ଛାଡିଦେଲେ ବୋଲି ସେ କହିଛନ୍ତି। ତାଙ୍କର ‘ଔର ଏକ ବଚ୍ଚନ’, ‘ହେରାଫେରୀ’ ଲୋକଙ୍କର ମନେ ରହିବ ବୋଲି ଅମିତାଭ ଉଲ୍ଲେଖ କରିଛନ୍ତି।