ମୟୂରଭଞ୍ଜଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଅନେକ ଔଷଧୀୟ ବୃକ୍ଷ ରହିଛି। ଗବେଷଣାରୁ ଏବେ ଏଠାରେ ‘ଲାଇକେନ୍’ର ସନ୍ଧାନ ମିଳିଛି। ଯେଉଁଥିରେ ହୃଦ୍ରୋଗ ଓ ମଧୁମେହ ସହ କ୍ୟାନ୍ସର ଭଳି ମାରାତ୍ମକ ରୋଗ ବିରୋଧୀ ତତ୍ତ୍ବ ରହିଛି। ଫଳରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସହାୟତା ଏବଂ ଲକ୍ଷ୍ନୌ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ପ୍ରତିଷ୍ଠାନର ମାର୍ଗଦର୍ଶନରେ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଜୈବପ୍ରଯୁକ୍ତି ବିଭାଗ ପକ୍ଷରୁ ଗବେଷଣା କରାଯାଉଛି। ଯେଉଁ ଗବେଷଣାରୁ ଶିମିଳିପାଳରେ ‘ଲାଇକେନ୍’ର ସନ୍ଧାନ ମିଳିଛି। ଏଯାଏଁ ଏଠାରେ ୧୪୮ ପ୍ରଜାତିର ଲାଇକେନ୍ ଚିହ୍ନଟ ହୋଇଥିବା ବେଳେ ଭାରତର ପ୍ରଥମ ‘ଫିସିଲିଆ ମେଲାନ୍କ୍ରୋମା’ ଏବଂ ଓଡ଼ିଶାର ପ୍ରଥମ ‘କ୍ଲୋଡ୍ନିଆ ପ୍ରୋଟିକ୍ଲୋଜା’ ମଧ୍ୟ ପ୍ରାପ୍ତ ହୋଇଛି। ସଂଗୃହୀତ ଲାଇକେନ୍ ନମୁନାଗୁଡ଼ିକୁ ବିଶ୍ବବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ସଂଗ୍ରହାଳୟରେ ରଖାଯାଇଛି ଏବଂ ସେଗୁଡ଼ିକର ରାସାୟନିକ ତତ୍ତ୍ବକୁ ବିଶ୍ଳେଷଣ କରାଯାଉଛି। ଲାଇକେନ୍ ହେଉଛି ଏକ ବିଶେଷ ଜୀବ। ଯାହା କବକ (ଫଙ୍ଗସ୍) ଓ ଶୈବାଳର ସଂସ୍ପର୍ଶରୁ ଜନ୍ମ ନେଇଥାଏ। ଏହା ପଥର, ଗଛର ଛାଲ, ପାହାଡ଼ ଓ ମାଟି ଉପରେ ବଢ଼ନ୍ତି ଏବଂ କଠିନ ପରିସ୍ଥିତିରେ ବଞ୍ଚିବା ପାଇଁ ରକ୍ଷାତ୍ମକ ରାସାୟନିକ ଦ୍ରବ୍ୟ ତିଆରି କରନ୍ତି। ଏହି ଦ୍ରବ୍ୟଗୁଡ଼ିକ ଜୀବକ୍ରିୟାଶୀଳ ପଦାର୍ଥ। ଯେଉଁଥିରେ ଔଷଧୀୟ ଗୁଣ ଭରିରହିଥାଏ। ଗବେଷଣାରତ ଛାତ୍ର ଶୁଭମ ପ୍ରଧାନ ଓ ବିଜୟାନନ୍ଦ ସାହୁ କହିଛନ୍ତି, ଶିମିଳିପାଳର ଜୈବବିବିଧତା ନୂଆ ଆବିଷ୍କାରର ସୁଯୋଗ ଦେଉଛି। ଶିମିଳିପାଳରୁ ଲାଇକେନ୍ ମିଳିବା ଆମ ପାଇଁ ଏକ ବଡ଼ ଉପଲବ୍ଧି। ଲାଇକେନ୍ର ଔଷଧୀୟ ଗୁଣ ଭବିଷ୍ୟତରେ ଚିକିତ୍ସା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିପାରିବ। ସେହିପରି ବିଭାଗୀୟ ମୁଖ୍ୟ ପ୍ରଫେସର ବିଶ୍ବଜିତ ରଥ କହିଛନ୍ତି, ଲାଇକେନ୍ର ଔଷଧୀୟ ଗୁଣକୁ ସମାଜ କଲ୍ୟାଣରେ ଲଗାଇବା ଆମର ଲକ୍ଷ୍ୟ।
