Odia News Portal

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ

ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି 90 ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ ପ୍ରଣାମ । ଚଳିତବର୍ଷ ଉତ୍କଳ ଦିବସ ଅବସରରେ ଆଜିଠାରୁ ଆସନ୍ତା ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ 15 ଦିନ ଧରି ‘ଓଡ଼ିଆ ପକ୍ଷ’ ଭାବେ ଧୁମ୍‌ଧାମ୍‌ରେ ପାଳନ କରାଯିବ । ରାଜ୍ୟ ପାଇଁ ଆଜି ଏକ ଗରିମାମୟ ଦିବସ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ନିଜ ଭାଷା, ରାଜ୍ୟ, ଐତିହ୍ୟ, ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଦେଶର ବହୁ ଉଚ୍ଚ ପଦପଦବୀରେ ଏବେ ଓଡ଼ିଆମାନେ ରହି ଦେଶର ପ୍ରଗତିରେ ଅସୀମ ଯୋଗଦାନ ଦେଉଛନ୍ତି । ଆଜି ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବର ଦିନ । ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।