Odia News Portal

ଏପ୍ରିଲ ପହିଲାରୁ ‘ଓଡ଼ିଆ ପକ୍ଷ’

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟପାନୀୟ, ପୋଷାକପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ’। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏନେଇ ଆଜି ସଂସ୍କୃତି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।କାର୍ଯ୍ୟକ୍ରମ ଅନୁସାରେ, ଏପ୍ରିଲ ୧ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ‘ଉତ୍ସଳ ଦିବସ’ ପାଳନ କରିବ। ଏପ୍ରିଲ ୨ରେ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଯାଉଥିବା ଶିଶୁଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ‘ଖଡ଼ିଛୁଆଁ ଦିବସ’ ପାଳନ କରିବ। ଏପ୍ରିଲ ୩ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପାରମ୍ପରିକ ପୋଷାକ ପରିଧାନ ‘ଆମ ପୋଷାକ ଆମ ପରିଚୟ ଦିବସ’ ପାଳନ କରାଯିବ। ଏପ୍ରିଲ ୪ରେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ‘ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ’ ପଦଯାତ୍ରା ଆୟୋଜନ ହେବ। ଏପ୍ରିଲ ୫ରେ ରାଜ୍ୟର ଐତିହ୍ୟ ସ୍ଥଳୀର ସୁରକ୍ଷା, ଏହାର ପ୍ରଚାର ଓ ପ୍ରସାର ଏବଂ ‘ଫିଟ୍ ଇଣ୍ଡିଆ ଓ ଫିଟ୍ ଓଡ଼ିଶା’ର ଲକ୍ଷ୍ୟକୁ ନେଇ କ୍ରୀଡ଼ା ଓ ଯୁବସେବା ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ଐତିହ୍ୟ ସ୍ଥଳୀ ନିକଟରେ ‘ଐତିହ୍ୟ ଗଣଦୌଡ଼’ ଏବଂ ୬ରେ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ହେବ।ସେହିଭଳି ଏପ୍ରିଲ ୭ରେ ସଂସ୍କୃତି ବିଭାଗ ପକ୍ଷରୁ ‘ଶିଶୁକଥା ଦିବସ’ ପାଳନ କରାଯିବ। ଏପ୍ରିଲ ୮ରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ରକ୍ତଦାନ ଅଭିଯାନ’ ଆୟୋଜନ କରାଯିବ। ୯ରେ ‘ଆସ ବହିଟିଏ କିଣିବା ଅଭିଯାନ’  ଏବଂ ୧୦ରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜନ ହେବ। ୧୧ରେ ‘ଅମୃତପିଢ଼ି ସମାରୋହ’, ୧୨ରେ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମ ହେବ। ୧୩ ତାରିଖରେ ପାରମ୍ପରିକ ଖାଦ୍ୟ ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ଆମ ରୁଚି ଆମ ଖାଦ୍ୟ ଦିବସ’ ପାଳନ କରାଯିବ। ଶେଷ ଦିନରେ ସାରା ରାଜ୍ୟରେ ‘ଓଡ଼ିଆ ନବବର୍ଷ’ ପାଳନ କରାଯିବ।ଜନସାଧାରଣଙ୍କୁ ଓଡ଼ିଆ ପକ୍ଷ ପାଳନରେ ସାମିଲ କରିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ‘ଓଡ଼ିଆ ପକ୍ଷ-୨୦୨୬’ ୱେବ୍‌ସାଇଟ- Odiapakhya.com ଖୋଲାଯାଇଛି। Odiapakhya.com କୁ ଯାଇ ସମସ୍ତେ  ଓଡ଼ିଆ ପକ୍ଷ ଆପ୍‌କୁ ମଧ୍ୟ ଡାଉନଲୋଡ୍‌ କରିପାରିବେ। ଓଡ଼ିଆ ପକ୍ଷରେ ହେବାକୁ ଯାଉଥିବା ବିଭିନ୍ନ ଉତ୍ସବ ପାଳନର ରିଲ୍ସ କରି ଓ ସେଲ୍ଫି ଉଠାଇ ସେହି ସବୁକୁ ଜନସାଧାରଣମାନେ ୱେବ୍‌ସାଇଟରେ ଅପଲୋଡ୍‌ କରିପାରିବେ। ଏଥିସହ ଓଡ଼ିଆ ପକ୍ଷ ୱେବ୍‌ସାଇଟରେ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ ମଧ୍ୟ କରାଯିବ। ଓଡ଼ିଆ ପକ୍ଷ କୁଇଜ୍‌ରେ ଭାଗନେଇ ସମସ୍ତେ ନିଜର ଡିଜିଟାଲ ସାର୍ଟିଫିକେଟ ମଧ୍ୟ ଡାଉନଲୋଡ୍‌ କରି ଏହାକୁ ନିଜର ସାମାଜିକ ଗଣମାଧ୍ୟମରେ ମଧ୍ୟ ସେୟାର କରିପାରିବେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ରଶ୍ମିତା ପଣ୍ଡା, ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଅତିରିକ୍ତ ଶାସନ ସଚିବ ସ୍ମିତା ମହାନ୍ତି, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।