Odia News Portal

ୱାଟର ସ୍ପୋର୍ଟସରେ ଓଡ଼ିଶାର ଜଲୱା; ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବେ କନଷ୍ଟେବଳ ରଶ୍ମିତା

ଜୀବନର ଲହଡ଼ି କେତେବେଳେ କେଉଁ ମୋଡ଼ ନେବ, ତାହା କେହି ଜାଣିନାହାନ୍ତି। ଦିନେ ମହାନଦୀ ପଠାରେ ପହଁରୁଥିବା ଗୋଟିଏ ସାଧାରଣ ଝିଅ ଆଜି ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ। ସେ ହେଉଛନ୍ତି ଓଡ଼ିଶା ପୋଲିସର କନଷ୍ଟେବଳ ରଶ୍ମିତା ସାହୁ (Rasmita Sahu)। କେବଳ ପୋଲିସ ବର୍ଦ୍ଦି ନୁହେଁ, ବରଂ ଜଣେ ସଫଳ କାନୋଇଷ୍ଟ ଭାବେ ସେ ଏବେ ସାରା ଦେଶ ପାଇଁ ପ୍ରେରଣା ସାଜିଛନ୍ତି।ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ କର୍ମଚାରୀ ହେବା ସହ ଜଣେ ସଫଳ କ୍ରୀଡ଼ାବିତ୍ ଭାବେ ରଶ୍ମିତା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଏସିଆନ୍ ଗେମ୍ସରେ ଦେଶ ପାଇଁ ପଦକ ଜିତିବା ଲକ୍ଷ୍ୟରେ ସେ ଉତ୍ତରାଖଣ୍ଡର ଟିହରି ପାହାଡ଼ି ଅଞ୍ଚଳରେ ଦିନରାତି କଠିନ ଅଭ୍ୟାସ ଜାରି ରଖିଛନ୍ତି । ପାହାଡ଼ ଘେରା ପ୍ରାକୃତିକ ପରିବେଶରେ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛନ୍ତି ।